ଭୋଜପୁରୀ ଅଭିନେତା ତଥା କଣ୍ଠଶିଳ୍ପୀ ପବନ ସିଂହ ନିର୍ବାଚନ ଲଢ଼ିବା ନେଇ ଏବେ ପୁଣିଥରେ ୟୁ–ଟର୍ଣ୍ଣ ନେଇଛନ୍ତି। ସେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ପଶ୍ଚିମବଙ୍ଗର ଆସନ ଆସନସୋଲ୍ ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏଥିରେ ପବନ ସିଂହଙ୍କ ନାଁ ଥିଲା। ଦଳ ତାଙ୍କୁ ଆସନସୋଲ ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ପବନ ସାମ୍ନାକୁ ଆସିବା ସହ ବ୍ୟକ୍ତିଗତ କାରଣ ପାଇଁ ସେ ଆସନସୋଲରୁ ଲଢ଼ିପାରିବେ ନାହିଁ ବୋଲି କହିଥିଲେ।
କିନ୍ତୁ ଆଜି ସେ ୟୁ–ଟର୍ଣ୍ଣ ନେଇଛନ୍ତି। ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଗୋଟିଏ ପୋଷ୍ଟ କରି କହିଛନ୍ତି ଯେ “ମୋ ମା‘ ଓ ଲୋକମାନଙ୍କୁ ମୁଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ନିର୍ବାଚନ ଲଢ଼ିବି। ମୁଁ ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗ ଚାହୁଁଛି। ଜୟ ମାତା ଜୀ।“
ବିଜେପି ପବନ ସିଂହଙ୍କୁ ଆସନସୋଲରୁ ପ୍ରାର୍ଥୀ କରିଥିବାରୁ ଏହାକୁ ଟିଏମସି ବିରୋଧ କରିଥିଲେ। ଏହି ଆସନରେ ଟିଏମସି ଭେଟରାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ଟିଏମସିର କହିବା କଥା ଯେ ପବନ ସିଂହ ଗାଇଥିବା ଅନେକ ଗୀତରେ ବେଙ୍ଗଲର ମହିଳାମାନଙ୍କୁ ଅସଭ୍ୟ ଭାବେ ଚିତ୍ରଣ କରାଯାଇଛି।

