ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରେ ଜାତୀୟ ରାଜନୀତିରେ ଦବଦବା ଦେଖାଇ ଦିଲ୍ଲୀ ଶାସନରେ କ୍ଷମତାଶାଳୀ ହୋଇଥିବା ଓଡ଼ିଆଙ୍କ ମଧ୍ଯରେ ଧର୍ମେନ୍ଦ୍ର ପ୍ରଧାନ ଅନ୍ଯତମ । ଓଡ଼ିଶା ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ବିଜେପିର ଶୀର୍ଷ ନେତୃତ୍ବଙ୍କ ସହ ବେଶ ଘନିଷ୍ଠ । ତେବେ ଓଡ଼ିଶାର ପ୍ରତ୍ୟେକ୍ଷ ରାଜନୀତିରେ ଏକରମକର ବନବାସରେ ଯାଇଥିବା ଧର୍ମେନ୍ଦ୍ର ୧୫ ବର୍ଷ ପରେ ପୁଣି ଓଡ଼ିଶାକୁ ଫେରିଛନ୍ତି । ଅର୍ଥାତ ୧୫ ବର୍ଷ ପରେ ଓଡ଼ିଶାରୁ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି ଧର୍ମେନ୍ଦ୍ର । ୨୦୦୯ ମସିହାରେ ସେ ପରାଜିତ ହେବାପରେ ଯଦିଓ କେନ୍ଦ୍ରରେ ଶକ୍ତିଶାଳୀ ହୋଇଥିଲେ ତଥାପି ଓଡ଼ିଶାରୁ କେବେବି ନିର୍ବାଚନ ଲଢିନଥିଲେ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସବୁ ଅପେକ୍ଷାର ଅନ୍ତ ଘଟାଇ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।
ଜାତୀୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଧର୍ମେନ୍ଦ୍ର ପ୍ରଧାନ । ୧୯୮୬ ମସିହାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜର ରାଜନୈତିକ କ୍ଯାରିଅର ଆରମ୍ଭ କରିଥିଲେ । ପ୍ରଥମେ ତାଳଚେର କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳରେ ନେତୃତ୍ବର ପରାକାଷ୍ଠା ଦେଖାଇଥିଲେ । ୧୯୯୧ ମସିହାରୁ ଏବିଭିପିରେ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ୧୯୯୨ରୁ ୧୯୯୭ ମଧ୍ଯରେ ଏବିଭିପିର ସମ୍ବଲପୁର ବିଭାଗ ସଂଗଠନ ସଂପାଦକ, ରାଜ୍ୟ ସଂପାଦକ ଓ ରାଷ୍ଟ୍ରୀୟ ସଂପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୧ରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଭାବେ ସେ ଦାୟିତ୍ବ ନେଇଥିଲେ । ୨୦୦୪ରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୭ ଓ ୨୦୧୦ରେ ଦୁଇଥର ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ହୋଇଥିଲେ । ୨୦୦୦ ମସିହାରେ ଢେଙ୍କାନାଳ ଜିଲ୍ଲା ପାଲଲହଡ଼ାରୁ ବିଧାୟକ ହୋଇଥିଲେ ଧର୍ମେନ୍ଦ୍ର । ବହୁତ କମ ବୟସରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେବା ସହ ଭଲ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ ।
୨୦୦୪ ମସିହାରେ ଧର୍ମେନ୍ଦ୍ର ଦେବଗଡ଼ ଲୋକସଭା ନିର୍ବାଚନମଣ୍ଡଳିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଓଡ଼ିଶାରୁ ନିର୍ବାଚନ ହାରିବା ପରେ ଦିଲ୍ଲୀରେ ତାଙ୍କର ଦବଦବା ବଢିଥିଲା । ପରେ ବିହାର ଓ ମଧ୍ଯପ୍ରଦେଶରୁ ଦୁଇ ଦୁଇଥର ସେ ରାଜ୍ଯସଭାକୁ ନିର୍ବାଚିତ ହୋଇଛନ୍ତି । ମୋଦି ସରକାରଙ୍କ ପ୍ରଥମ ପାଳିରେ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ଯାସ ମନ୍ତ୍ରଣାଳୟର ମନ୍ତ୍ରୀଭାବେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ସର୍ବାଧିକ ଦାୟିତ୍ବରେ ରହି ସେ ରେକର୍ଡ କରିଥିଲେ । ତାଙ୍କ ସମୟରେ ଉଜ୍ବଳା ଯୋଜନା ମାଧ୍ଯରେ ଘରେ ଘରେ ଗ୍ଯାସ କନେକ୍ସନ ପହଞ୍ଚି ପାରିଛି । ସେଥିପାଇଁ ଧର୍ମେନ୍ଦ୍ରଙ୍କୁ ଉଜ୍ବଳା ମ୍ଯାନ ମଧ୍ଯ କୁହାଯାଏ । ୧୫ ବର୍ଷ ପରେ ଏବେ ପୁଣିଥରେ ଓଡିଶାରୁ ଭାଗ୍ଯ ପରୀକ୍ଷା କରିବେ ଧର୍ମେନ୍ଦ୍ର ପ୍ରଧାନ ।

