ଧୀରେ ଧୀରେ ରୋଚକ ହେଉଛି ଚଳିତ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଚୟନ । ଦଳ ଛାଡିବା ,ନୂଆ ଦଳରେ ଯୋଗଦେବା ପରେ ପରେ ବିଭିନ୍ନ ସଂସଦ ଓ ବିଧାନସଭା ଆସନ ପାଇଁ ଟିକେଟ ଦିଆନିଆ ଚାଲିଛି । କେଉଁଠି ଅସନ୍ତୋଷ ବଢିଲାଣି ତ ଆଉ କେଉଁଠି ଟିକେଟ ପାଇବା ପରେ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡିଛନ୍ତି ନେତା ।
ଏଭଳି ସ୍ଥିତିରେ ବାଲେଶ୍ୱର ନୀଳଗିରି ନିର୍ବାଚନମଣ୍ଡଳୀରେ ଟିକେଟ ଚର୍ଚ୍ଚା ସରୁନି । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ବେଶୀ ଆଲୋଚନା ବଢିଛି । ନୀଳଗିରି ସଂସଦୀୟ କ୍ଷେତ୍ର ପାଇଁ ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ସେନାପତି ସଜାଇସାରିଛି । ଏପଟେ ଅନ୍ୟତମ ନେତା ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡି ଶାସକଦଳ ବିଜେଡିରେ ମିଶିସାରିଛନ୍ତି । ଏଭଳି ପରିସ୍ଥିତିରେ ବିଜେପି ଏମ.ଏଲ.ଏ ଟିକେଟ କାହାକୁ ଦେଇପାରେ ତାକୁ ନେଇ ତର୍ଜ୍ଜମା ଆରମ୍ଭ ହେଲାଣି ।
ନିକଟରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଇସ୍ତଫାର ୨ ଦିନ ପରେ ସେ ପଦ୍ମ ଶିବିରରେ ନିଜକୁ ସାମିଲ କରାଇଛନ୍ତି। ତେଣୁ ଅନୁଭବ କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଚର୍ଚ୍ଚା ଦେଖାଦେଇଛି। ଅନୁଭବ ଲୋକସଭାରୁ ଲଢ଼ିବେ ନାଁ ବିଧାନସଭାରୁ? ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ପାଇଁ ବିଜେପି ତାର ସମସ୍ତ ପ୍ରାର୍ଥୀ ଦେଇ ସାରିଛି।
ପ୍ରଥମ ପର୍ଯ୍ୟାୟରେ ବିଜେପି ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୩ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ତେବେ ଏହି ୨୧ ଲୋକସଭା ଆସନ ଭିତରୁ ଅନୁଭବ କେନ୍ଦ୍ରାପଡା ନଚେତ କଟକରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା ।
କିନ୍ତୁ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଅପରପକ୍ଷେ ଭର୍ତ୍ତୃହରି ମହତାବଙ୍କୁ କଟକରୁ ପ୍ରାର୍ଥୀ କରି ସାରିଛି ଦଳ। ତେଣୁ ଅନୁଭବ ବର୍ତ୍ତମାନ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଶେଷ ମହୁର୍ତ୍ତର ହୁଏତ ଅନୁଭବଙ୍କୁ ନୀଳଗିରିରୁ ପ୍ରାର୍ଥୀ କରିପାରେ ବିଜେପି ବୋଲି ଆଲୋଚନା ହେଉଛି ।

