ମାମୁଁ ଘର ଗଡରେ ଭଣଜା କରିବ ରାଜ!

ପୁରୀ, ବ୍ରହ୍ମଗିରି ଓ ସତ୍ୟବାଦୀ ପରେ କଂଗ୍ରେସ ଆଜି ନିମାପଡ଼ା ଓ ପିପିଲି ବିଧାନସଭା ଟିକେଟ ଘୋଷଣା କରିଛି। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ନିମାପଡ଼ା ଟିକେଟ ଦେଇଛି। ସେହିଭଳି ଜମା ଚର୍ଚ୍ଚାରେ ନ ଥିବା ଜ୍ଞାନରଂଜନ ପଟ୍ଟନାୟକଙ୍କୁ କଂଗ୍ରେସ ପିପିଲି ଟିକେଟ୍‌ ଦେଇଛି।

ଦୁଇଜଣ ପୁରୀ ଜିଲ୍ଲା ପାଇଁ ଓ ରାଜନୀତିରେ ବିଧାୟକ ଦୌଡ଼ରେ ନୂଆ ମୁହଁ ହୋଇଥିବା ବେଳେ କଂଗ୍ରେସର ଏହି ନିଷ୍ପତ୍ତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।ସିଦ୍ଧାର୍ଥଙ୍କ ମାମୁଘର ନିମାପଡ଼ାରେ। ସିଦ୍ଧାର୍ଥ ନିମାପଡ଼ାରୁ କଂଗ୍ରେସ ଟିକେଟରେ ଲଢ଼ିବେ ବୋଲି ଆରମ୍ଭରୁ ଚର୍ଚ୍ଚା ହେଉଥିଲା। ସିଦ୍ଧାର୍ଥ ଦେଶ ବିଦେଶରେ ଅନେକ ଉଚ୍ଚତମ ଶୃଙ୍ଗ ଚଢ଼ି ଚର୍ଚ୍ଚାରେ ରହିଛନ୍ତି।

ଅପରପକ୍ଷେ ୨୦୧୯ ଉପନିର୍ବାଚନରେ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ଉପନିର୍ବାଚନ ଲଢ଼ିଥିଲେ। କିନ୍ତୁ ୨୦୨୪ ନିର୍ବାଚନ ବେଳକୁ ରାଜନୈତିକ ପାଣିପାଗ ବଦଳି ଯାଇଥିଲା। ବିଶ୍ବକେଶନଙ୍କ ବଦଳରେ ପ୍ରଥମେ ନିଶିକାନ୍ତ ମିଶ୍ର ଓ ପରେ ନିକଟରେ କଂଗ୍ରେସରେ ମିଶିଥିବା ରାଧାମୋହନଙ୍କ ନାଁ ଟିକେଟ ପାଇଁ ଚର୍ଚ୍ଚାରେ ଥିଲା। ସବୁ ଚର୍ଚ୍ଚାର ଅବସାନ ଘଟାଇ ଦଳ ଜ୍ଞାନରଂଜନଙ୍କ ଉପରେ ଭରସା କରିଛି।

ଜ୍ଞାନରଂଜନଙ୍କ ଘର ଡେଲାଙ୍ଗ ବ୍ଲକ୍‌ ବେରବୋଇ ପଞ୍ଚାୟତ ଉଦୟପୁର ଗାଁରେ। ଜ୍ଞାନରଂଜନ ଛାତ୍ର ରାଜନୀତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ସେ ନିରାକାରପୁର ଡିଏଭି କଲେଜରେ ପଢ଼ିବା ବେଳେ ଛାତ୍ର ନେତା ଥିଲେ। ଏବେ ସେ ଏଆଇସିସି ସଦସ୍ୟ ଓ ପିସିସି ସାଧାରଣ ସଂପାଦକ ଅଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!