କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ବିଧାନସଭା ଆସନ ଆଳି ନିର୍ବାଚନ ମଣ୍ଡଳୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଳିରେ ଦେଖିବାକୁ ମିଳିଛି ରାଜନୈତିକ ତାତି ।ଷଷ୍ଠ ଥର ପାଇଁ ବିଜେଡି ଟିକଟରୁ ଲଢ଼ୁଥିବା ଆଳିର ବର୍ତ୍ତମାନ ବିଧାୟକ ତଥା ରାଜ୍ୟ କ୍ୟାବିନେଟର ପାୱାରଫୁଲ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିରୋଧି ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ପୁଣି ତାଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ । କେନ୍ଦ୍ରାପଡ଼ା ଆଳି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ । ୨୦୧୭ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଆଉ ୨୦୧୯ରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ପ୍ରତାପ ଦେବ ।
୨୦୦୦ ମସିହାରୁ ରାଜନୀତିକୁ ଓହ୍ଲାଇଛନ୍ତି ବର୍ତ୍ତମାନର ବିଧାୟକ ପ୍ରତାପ କେଶରୀ ଦେବ । ୨୦୦୦, ୨୦୦୪, ୨୦୦୯ରେ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇଥିବା ପ୍ରତାପ ଦେବ ୧୪ରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କ ଠାରୁ ପରାସ୍ତ ହୋଇଥିଲେ । ପୁଣି ୨୦୧୯ରେ ବିଜୟୀ ହେବା ପରେ ମନ୍ତ୍ରୀ ରହିଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।
ତେବେ ୨୦୦୦ ମସିହା ନିର୍ବାଚନରୁ ୨୦୦୯ ମସିହା ପର୍ଯ୍ୟନ୍ତ ଆଳି ନିର୍ବାଚନ ମଣ୍ଡଳୀରେ ଦବଦବା ରଖୁଥିବା ରାଜ ପରିବାରର ପ୍ରତାପ ଦେବ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ୨୦୧୪ ମସିହାରେ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କ ଠାରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ହେଲେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଗୁଡ୍ ବୁକରେ ରହିଥିବା କାରଣରୁ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା । ପରେ ନିର୍ବାଚନ ମଣ୍ଡଳୀରେ ବେଶ ସକ୍ରିୟ ରହି ୨୦୧୯ ନିର୍ବାଚନରେ ପୁଣିଥରେ ବିଧାୟକ ଭାବରେ ବିଜୟ ବାନା ଉଡାଇଥିଲେ । ଏବେ ୨୦୨୪ ସାଧାରଣ ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରୁ ବିଜେଡି ପୁନଃ ଟିକେଟ ଦେଇ ଦଳ ତାର ମାନିଫେଷ୍ଟୋ କମିଟିରେ ମନ୍ତ୍ରୀ ପ୍ରତାପଙ୍କୁ ସ୍ଥାନ ଦେଇଛି ।
ତେବେ ପ୍ରତାପ ଦେବ କହିଛନ୍ତି, “ରାଜ୍ୟ ସରକାରଙ୍କ ଗରିବ ଲୋକମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାସ୍ତାଘାଟର ବିକାଶ, ବିଦ୍ୟାଳୟ ଓ ହସ୍ପିଟାଲ ଗୁଡିକର 5T ଅଧିନରେ ରୂପାନ୍ତରିକରଣ ଇତ୍ୟାଦି ପ୍ରସଙ୍ଗକୁ ନେଇ ବିଜେଡି ନିର୍ବାଚନ ଲଢ଼ିବ । ବିଜେଡି ସରକାର ସମୟରେ ନିର୍ବାଚନ ମଣ୍ଡଳୀର ଅନେକ ବିଚ୍ଛିନ୍ନାଞ୍ଚଳକୁ ସବୁଦିନିଆ ରାସ୍ତା ତିଆରି ହୋଇଥିବା ବେଳେ ଅନେକ ଦିଗରେ ବିକାଶ ହୋଇଛି । କ୍ୟାଲେଣ୍ଡରରେ ବର୍ଷ ବଦଳିବା ପରେ ଲୋକମାନଙ୍କର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି ଯେଉଁଥିପାଇଁ ଦାବି ଗୁଡିକ ବଢ଼ୁଛି ଏବଂ ଏ ଗୁଡ଼ିକୁ ପୂରଣ କରିବା ପାଇଁ ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀ ସଦା ତତ୍ପର ।

