କଟକ ଓ ପୁରୀ ଆସନରେ ସ୍ଥିତି ଟଳମଳ

ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ଦୀର୍ଘଦିନ ଧରି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ମହେଶ୍ୱର ମହାନ୍ତିଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପୁଅ ସୁନୀଲଙ୍କୁ ଆଗକୁ ଆଣି ବିଜେଡି ଏହି ଆସନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଜୋରଦାର ଉଦ୍ୟମ କରିଥିଲା । ଆଉ ସେଠାରେ ବିଧାୟକ ପାଇଁ ଆଶାୟୀ ଥିବା ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇ ପୁରସ୍କୃତ କରିଥିଲା ।

ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇବା ପାଇଁ ଦଳର ନିଷ୍ପତ୍ତି ସେତେବେଳେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏବେ ପୁରୀରେ ବିଜେଡିକୁ ଆଶାନୁରୂପ ସଫଳତା ମିଳୁନଥିବା ଜଣାପଡ଼ିଛି । ନିଜର ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ଓ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଜିତାଇବା ବିଜେଡି ପାଇଁ କାଠିକର ପାଠ ହୋଇଛି । ପୁରୀ ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା ।

ଆଉ ବିଜେପି ଭୋଟକୁ କାଂଉଟର କରିବା ପାଇଁ ବିଜେଡିର ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ମଧ୍ୟ ପୁରୀ ଜିଲ୍ଲାରେ ଗତକାଲି ରୋଡ୍ ଶୋ’ କରିଥିଲେ । କିନ୍ତୁ ଆଶାନୁରୂପ ଜନସମାଗମ ନହେବାରୁ ବିଜେଡି ଚିନ୍ତାରେ ପଡ଼ିଯାଇଛି । ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇବାର କୌଣସି ସୁଫଳ ଏବେ ଦଳକୁ ପୁରୀ ଜିଲ୍ଲା ତ ଦୂରର କଥା ପୁରୀ ବିଧାନସଭା ଆସନରେ ବି ମିଳୁନଥିବାରୁ ବିଜେଡି ନେତୃତ୍ୱ ନିଜର ନିଷ୍ପତ୍ତିକୁ ନେଇ ପସ୍ତାଇବାରେ ଲାଗିଥିବା ଚର୍ଚ୍ଚା ହେଉଛି ।
ଅନୁରୂପ ଅବସ୍ଥା କଟକ-ବାରବାଟୀ ବିଧାନସଭା ଆସନରେ । ସେଠାରେ ପୂର୍ବରୁ ବିଧାୟକ ଥିବା ଦେବାଶୀଷ ସାମନ୍ତରାୟଙ୍କୁ ବିଜେଡି ଏଥର ରାଜ୍ୟସଭା ପଠାଇ କଟକର ୩ଟି ଯାକ ଆସନରେ ନିଜର ସ୍ଥିତିକୁ ସୁଦୃଢ଼ କରିବ ବୋଲି ରଣନୀତି ପ୍ରସ୍ତୁତ କରିଥିଲା । ମାତ୍ର କଟକ-ବାରବାଟୀରେ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରାଙ୍କୁ ଆବଶ୍ୟକ ସହଯୋଗ କିମ୍ବା ସମର୍ଥନ ମିଳୁନଥିବାରୁ ସେଠାରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ତୁଳନାରେ ପ୍ରକାଶ ପଛରେ ପଡ଼ିଥିବା ଚର୍ଚ୍ଚା ହେଉଛି । ଦେବାଶୀଷ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆବଶ୍ୟକ ସହଯୋଗ ଦେଉନଥିବା ଜଣାପଡ଼ିଛି ।

କଟକ ମେୟର ସୁବାସ ସିଂ ଓ ଦେବାଶୀଷଙ୍କ ମଧ୍ୟରେ ଲାଗି ରହିଥିବା ଶୀତଳଯୁଦ୍ଧର ପ୍ରଭାବ ନିର୍ବାଚନୀ ପ୍ରଚାରରେ ପଡ଼ୁଥିବା ଯୋଗୁ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରାଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏପରିକି ବିଜେଡି ନେତା ପାଣ୍ଡିଆନ କଟକରେ ରୋଡ୍ ଶୋ’ କରିବାବେଳେ ଆବଶ୍ୟକ ଜନସମାଗମ ନହେବାରୁ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କଟକ-ବାରବାଟୀରେ ବିଜେଡି ପ୍ରାର୍ଥୀ ବିଜୟୀ ନହେଲେ ତା’ର ପରିଣାମ ଦେବାଶୀଷଙ୍କୁ ଭୋଗିବାକୁ ପଡ଼ିବ ବୋଲି ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!