ଆଚାର ବିଚାର ଓ ସେବାରେ ସମର୍ପିତ ମୋହନ୍ ସରକାର

ନା ସେ କୌଣସି ରାଜନୈତିକ ପରିବାରର ଦାୟାଦ, ନା ରାଜ୍ଯ ରାଜନୀତିର ଚର୍ଚ୍ଚିତ ଆଉ ବଡ଼ ଚେହେରା । ସାଧାରଣ ପରିବାରକୁ ଆସିଥିବା ମଫସଲି ମଣିଷଟିଏ । ଶିଶୁମନ୍ଦିରର ଶିକ୍ଷକରୁ ଜୀବନ ଆରମ୍ଭ କରିଥିବା ଆମ ତମ ପରି ସାଧାରଣ ଲୋକଟିଏ । ସୁନା କି ହୀରା ନୁହେଁ…ସିଏ ଆମ ମାଟିର ମଣିଷ ମୋହନ ଚରଣ ମାଝୀ । ଓଡ଼ିଶାବାସୀଙ୍କ ଅସ୍ମିତା ଆଉ ହକର ଲଢେଇରେ ଯେ ଆମ କେନ୍ଦୁଝର ମାଟିର ପୁଅଟିଏ ସେନାପତି ହୋଇ କୁରୁକ୍ଷେତ୍ରକୁ ଓହ୍ଲାଇବ ଏବଂ ପ୍ରଧାନମନ୍ତ୍ରୀଙ୍କ ଭରସା ଜିତି ଓଡ଼ିଶାର ନେତୃତ୍ବ ନେବ, ଏକଥା ମୋ ପାଇଁ ଯେତିକି ସ୍ବପ୍ନ ଥିଲା ସେତିକି ସନ୍ତୋଷତା ମଧ୍ଯ । 

ଆଚାର, ବିଚାର ଓ ସମର୍ପଣ । ତିନୋଟି ଭିନ୍ନ ଶବ୍ଦ । ଏହି ତିନୋଟି ଗୁଢତତ୍ତ୍ବକୁ ଆୟତ୍ତ କରିବା ସବୁ ମଣିଷ ପାଖେ ସମ୍ଭବ ହୁଏନି ।  ସତ୍ଯକୁ ଜୀବନର ଧର୍ମଭାବେ ଗ୍ରହଣ କରି ସମର୍ପରଣକୁ ଜୀବନର ସର୍ବସ୍ବ ମାନିନେବା ବୋଧହୁଏ ଆଜିର ରାଜନୈତିକ ବ୍ଯକ୍ତିତ୍ବଙ୍କ ପାଖେ ମିଳିବା କଷ୍ଟକର ବ୍ଯାପାର ହୋଇପାରେ । ହେଲେ ଏକାଗ୍ରଚିତ୍ତରେ ଆଚାର, ବିଚାର ଓ ସମର୍ପଣକୁ ଜୀବନର ଧର୍ମ ଭାବେ ଗ୍ରହଣ କରିବା କ୍ଷେତ୍ରରେ ମୋହନ ଚରଣ ମାଝୀ ହେଉଛନ୍ତି ଏକ ବିରଳ ଉଦାହରଣ । ଓଡ଼ିଶା ପରମ୍ପରାର ଆଦିକାଳରେ ସିଦ୍ଧିଲାଭ କରିଥିବା ଜଣେ ନିଷ୍କାମ ମଣିଷ ।

ନା ତାଙ୍କର ଲୋଭ ଅଛି ନା କାମ । ନିରନ୍ତର ଜନସେବାରେ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ସାଧୁ ହେଉଛନ୍ତି ଆମ ପ୍ରିୟ ମୁଖ୍ଯମନ୍ତ୍ରୀ ମାନ୍ଯବର ମୋହନ ମାଝୀ । ସେଥିପାଇଁ ତ ଲୋକେ କୁହନ୍ତି, ମାନ୍ଯବର ମୁଖ୍ଯମନ୍ତ୍ରୀ ଜଣେ ବିଚକ୍ଷଣ ରାଜନେତା ନୁହଁନ୍ତି । ବରଂ ଅସହଜ କଥାକୁ ସହଜରେ ସମାଧାନ କରିଦେଉଥିବା ବିରଳ ବ୍ଯକ୍ତିତ୍ବ ।

କେନ୍ଦୁଝର ଜିଲ୍ଲାର ରାଇକଳା ଗାଁଭଳି ଗୋଟିଏ ଅଜଣା, ଅଚିହ୍ନା ଅଞ୍ଚଳରୁ ଆଜି ରାଜ୍ଯର ସର୍ବୋଚ୍ଚ ଶାସନ କର୍ତ୍ତା ସାଜିଛନ୍ତି ମାନ୍ଯବର ମୋହନ ମାଝୀ । ଶିଶୁମନ୍ଦିରର ଶିକ୍ଷକ ଭାବେ ସେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୨୪ ବର୍ଷରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇ ତାଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ପ୍ରତିପାଦିତ କରିସାରିଛନ୍ତି । ବିରୋଧୀ ଦଳ ମୁଖ୍ଯ ସଚେତକ ଭାବେ ମଧ୍ଯ ଦାୟିତ୍ବ ତୁଲାଇଛନ୍ତି । ଜଣେ ସୁସଂଗଠକ, ଓଜସ୍ବୀ ବକ୍ତା ଓ ମେଳାପୀ ମଣିଷ ଭାବେ ପରିଚିତ ଶ୍ରୀଯୁକ୍ତ ମାଝୀ ଓଡ଼ିଶାର ମାଟି-ପାଣି-ପବନରେ ବଢିଥିବା ମଣିଷ ।

ସାଧାରଣ ସରପଞ୍ଚରୁ ସେ ମୁଖ୍ଯମନ୍ତ୍ରୀ ହୋଇଛନ୍ତି । କେବେହେଲେ ପଦପଦବୀର ମାୟାଜାଲରେ ଛନ୍ଦି ହୋଇନାହାନ୍ତି କି ପଦବୀ ପାଇଁ ଲାଳାୟାତ ହୋଇନାହାନ୍ତି । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମକରି ଜନ୍ମମାଟି ଗସ୍ତରେ ଯାଇ ସେ ଯେଉଁ ଓଜସ୍ବୀ ଭାଷଣ ପ୍ରଦାନ କରିଥିଲେ ତାହା ହିଁ ତାଙ୍କ ସ୍ବଚ୍ଛତାର ପରିଚୟ ।

ଦଶନ୍ଧି ଦଶନ୍ଧି ପରେ ଆଜି ତୃଣମୂଳସ୍ତରର ଜଣେ ନେତା ଆମ ରାଜ୍ଯର ମୁଖିଆ ଆସନରେ ବସିଛନ୍ତି । ସେ ଦେଖିଛନ୍ତି ଗାଁର ଅଭାବ, ଗରିବ ଘରର ଦୁଃଖକୁ କରିଛନ୍ତି ଅନୁଭବ। ସେଥିପାଇଁ ତ ଆଜି ମୋହନ ମାଝୀ ଖାଲି ମୁଖ୍ଯମନ୍ତ୍ରୀ ନୁହେଁ, ସେ ହୋଇଛନ୍ତି ଲୋକଙ୍କ ମୁଖ୍ଯମନ୍ତ୍ରୀ । ପୂର୍ବରୁ ମୁଖ୍ଯମନ୍ତ୍ରୀଙ୍କୁ ଦେଖିବାକୁ ହୁଏତ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଯାଉଥିଲା । ହେଲେ ଆଜି ମୁଖ୍ଯମନ୍ତ୍ରୀଙ୍କ ପାଖରେ ଠିଆ ହୋଇ ସେଲଫି ଉଠାଇ ନିଜର ଅଭିଯୋଗ କହିବା ହାତପାହାନ୍ତାରେ ମିଳୁଛି । ଶପଥ ନେବା ପରେ ଲକ୍ଷାଧିକ ଲୋକଙ୍କୁ ଭେଟି ଓଡ଼ିଶାବାସୀଙ୍କ ପ୍ରତି ଭଲପାଇବା ଓ ଭିନ୍ନ ଜଣେ ମୁଖ୍ଯମନ୍ତ୍ରୀଙ୍କର ପରିଚୟ ଦେଇସାରିଛନ୍ତି ଶ୍ରୀଯୁକ୍ତ ମୋହନ ମାଝୀ ।

କ୍ଷମତାର ବ୍ଯାରିକେଡ ଭିତରେ ନୁହେଁ ବରଂ ସହୃଦୟତାର ପରିଧି ଭିତରେ ଲୋକଙ୍କୁ ଭଲପାଇବାର ହାତ ବଢାଉଛନ୍ତି ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ତାଙ୍କ ଦରଦୀ ହୃଦୟ ଓ ଜନଆବେଗର ଛୋଟିଆ ଉଦାହରଣଟିଏ ଉଲ୍ଲେଖ କରୁଛି- ବ୍ଯକ୍ତିଗତ ଭାବେ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ ସହ ମୋ ଦୀର୍ଘ ୧୦ ବର୍ଷର ସମ୍ପର୍କ । ଆମ ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ଆମେ ଦୀର୍ଘ ଦିନରୁ ତାଙ୍କ ସହ ଜଡ଼ିତ । ସେଦିନ ବିଜେପି ରାଜ୍ଯ କାର୍ଯ୍ୟାଳୟରେ ଓଡ଼ିଶାର ନୂଆ ମୁଖ୍ଯମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ମୋହନ ମାଝୀଙ୍କ ନାଁ ଘୋଷଣା ହୋଇସାରିଥାଏ ।

ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସେଠାରେ ପହଞ୍ଚିଥାଉ । ସେତେବେଳେ ସେ ଆଉ ଖାଲି କେନ୍ଦୁଝରର ବିଧାୟକ ନଥାନ୍ତି । ବରଂ ପାଲଟିଯାଇଥିଲେ ସାଢେ ଚାରିକୋଟି ଓଡ଼ିଆଙ୍କ ମୁଖିଆ ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ତଥାପି କ୍ଷମତାର ପ୍ରାଚୀର ତାଙ୍କୁ ବନ୍ଦୀ କରି ରଖିପାରିନଥିଲା । ମୋତେ ଦେଖୁ ଦେଖୁ ପ୍ରୋଟୋକଲ ଭାଙ୍ଗି ଚାଲିଆସି ହାତରେ ହାତ  ମିଶାଇଥିଲେ ।

ଗତ ଦୁଇ ତିନି ଦିନ ତଳେ ଯେତେବେଳେ ଶ୍ୟାମା ପ୍ରସାଦ ମୂଖାର୍ଜୀଙ୍କ ପୁଷ୍ପ ମାଲ୍ୟାର୍ପଣ ପାଈଁ ଆସିଥିଲେ । ତାଙ୍କ ବଳିଦାନ ଦିବସ ସମୟରେ ବି ସମାନ ଆଚରଣ ପୋଷଣ କରିଥିଲେ ମାନ୍ଯବର ମୁଖ୍ଯମନ୍ତ୍ରୀ । ମୋ ଭଳି ମାଟିର ପୁଅକୁ ଚିହ୍ନିପାରି ଦୁଇପଦ ମନଖୋଲି କଥା ବି ହୋଇଥିଲେ । କେନ୍ଦୁଝରର ଭଲମନ୍ଦ ପଚାରି ବୁଝିଥିଲେ । ଏଇଥିରୁ ଆପଣ ବୁଝିପାରୁଥିବେ ଆମ ମୁଖ୍ଯମନ୍ତ୍ରୀଙ୍କ ମହାନତା କେତେ ।
ପିଲାହୁଅନ୍ତୁ କି ବୟସ୍କ । ଆଜି ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ସମସ୍ତଙ୍କ ପାଇଁ ଆଙ୍କିଦେଉଛନ୍ତି ମହନୀୟତାର ସୂରୁଜ । ଆମର ପୂର୍ବ ମୁଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ ବିସ୍ମୟ ବ୍ଯକ୍ତିତ୍ବ । ତାଙ୍କ ରାଜନୈତିକ ରେକର୍ଡ ହୁଏତ ଆଗକୁ କେହି ଅତିକ୍ରମ କରିନପାରନ୍ତି । ସେ ସବୁଠାରୁ ସଫଳ ରାଜନେତା । ନବୀନ ଓ ମୋହନଙ୍କ ମଧ୍ଯରେ ମତପାର୍ଥକ୍ଯ ନେଇ ବିଭିନ୍ନ ସ୍ଥାନରେ ମତମନ୍ତବ୍ଯ ଦିଆଯାଉଛି । ହେଲେ ମୋହନ ସରକାର କେତେ ମଜବୁତ, ମୋହନଙ୍କର କେତେ ବିଶାଳ ବ୍ଯକ୍ତିତ୍ବ ତାହା ଆମେ ସମୟ ଉପରେ ଛାଡ଼ିଦେବା । ସମୟ ହିଁ ସବୁ ପ୍ରଶ୍ନର ଉଚିତ ଜବାବ ଦେବ । ଏହା ନିଃସନ୍ଦେହ । ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତାର ଆଶୀର୍ବାଦରେ ଗଢା ହୋଇଥିବା ମୋହନ ସରକାରଙ୍କର ମନ୍ତ୍ରିମଣ୍ଡଳକୁ ନେଇ ଆମର ସ୍ବତନ୍ତ୍ର ସଂସ୍କରଣ ଆମ ମନ୍ତ୍ରୀ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!