ବିଜେପି ସରକାରରେ ପ୍ରଥମ ଆଇଏଏସ୍ ଅଦଳବଦଳ

ରାଜ୍ୟର ପ୍ରଥମ ବିଜେପି ସରକାର ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନବୀନ ପଟ୍ଟନାୟକ ସରକାରରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଝଟକା ଲାଗିିଛି । ତେବେ ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା ଓ ଉଷା ପାଢ଼ୀ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ଧଳ ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଇଏଏସ୍ ହେମନ୍ତ ଶର୍ମା ଏବେ ଇଡକୋ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ।

ସେହିପରି ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର କୁମାର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଗତ ୨୦୨୧ ଜୁଲାଇ ମାସରୁ ଏହି ଦୁଇଟି ବିଭାଗ ଦାୟିତ୍ୱରେ ଅଛନ୍ତି ।
ସେହିପରି ୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି । ଶ୍ରୀ ମାଥିଭାଥାନନ୍ ପ୍ରାୟ ୧୦ବର୍ଷରୁ ଅଧିକ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେ ସଂସଦୀୟ ବ୍ୟାପାର ବିଭାଗର ସଚିବ ମଧ୍ୟ ମଧ୍ୟ ଥିଲେ । ଏବେ ଉନ୍ନୟନ କମିଶନର ଅନୁ ଗର୍ଗ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି ।
ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଶର୍ମା ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଜାରି ରଖିବେ ।
୧୯୯୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ମିଶ୍ର ମଧ୍ୟ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ପାଢ଼ୀ ପୂର୍ବଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ।

ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ବିଶାଳ କୁମାର ଦେବଙ୍କୁ ଅର୍ଥ ବିଭାଗରୁ ହଟାଇ ଦିଆଯାଇଛି । ତାଙ୍କୁ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!