ଟ୍ରମ୍ପଙ୍କ ସଭାରେ ଫୁଟିଲା ଗୁଳି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ସଭାରେ ଗୁଳି ଫୁଟିଛି । ପେନସିଲଭାନିଆର ବଟଲରରେ ଏହି ସଭା ଚାଲିଥିଲା ।
ଏହି ସଭାରେ ଗୁଳି ଫୁଟିଥିଲା । ଟ୍ରମ୍ପ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ କାନ ଓ ଗାଲରୁ ରକ୍ତ ବୋହଥିବା ଦେଖିବାକୁ ମିଳିଛି ।ବଟଲର କାଉଣ୍ଟିର ଆଟର୍ଣ୍ଣି କହିଛନ୍ତି, ଗୁଳିମାରିଥିବା ବ୍ୟକ୍ତି ଓ ଅନ୍ୟ ଜଣେ ସଭାରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଛନ୍ତି । ସେପଟେ ଜୋ ବାଇଡେନ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହୋଇଛନ୍ତି ।
ଆକ୍ରମଣକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପିଏମ ମୋଦୀ ଏହି ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ମୋତେ ଗଭୀର ଭାବେ ଚିନ୍ତିତ କରିଛି ।
ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି । ରାଜନୀତିରେ ଏବଂ ଗଣତନ୍ତ୍ରରେ ହିଂସା କୌଣସି ସ୍ଥାନ ନାହିଁ । ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ମୃତ ଓ ଆହତଙ୍କ ପରିବାର ସହିତ ଆମର ସମବେଦନା ଏବଂ ପ୍ରାର୍ଥନା ରହିଛି ବୋଲି ମୋଦୀ କହିଛନ୍ତି ।

