ପୂର୍ବାପେକ୍ଷା ସାମ୍ବାଦିକଙ୍କ ଦାୟିତ୍ୱ ବଢ଼ିଛି । ବର୍ତ୍ତମାନ ବିଭିନ୍ନ ଦୃଷ୍ଟିଭଙ୍ଗୀରେ ଖବର ପ୍ରସ୍ତୁତ କରିବାକୁ ପଡୁଛି । ତା’ସହ ପୁଣି ଭିନ୍ନ ଭିନ୍ନ ମାଧ୍ୟମ ପାଇଁ ମଧ୍ୟ ସାମ୍ବାଦିକମାନେ ଖବର ପ୍ରସ୍ତୁତ କରୁଛନ୍ତି । ତେବେ ଖବର ଉପସ୍ଥାପନ ଓ ପରିବେଷଣବେଳେ ସାମ୍ବାଦିକମାନେ ବିଶେଷ ଧ୍ୟାନ ଦେବା ଉଚିତ । ନୈତିକ ମୂଲ୍ୟବୋଧକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ସତ୍ୟ ଖବର ପରିବେଷଣ ଉପରେ ସମସ୍ତ ସାମ୍ବାଦିକ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ରାଜେଶ କୁମାର ଝା’ ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ନୂଆଦିଲ୍ଲୀର ୬୦ତମ ତଥା ଆଇଆଇଏମ୍ସି ଢେଙ୍କାନାଳର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଫେସର ଝା’ କହିଛନ୍ତି, ଟେକ୍ନୋଲୋଜି ଯେତିକି ଯେତିକି ବିକଶିତ ହେଉଛି ସାମ୍ବାଦିକତା ତଥା ଗଣମାଧ୍ୟମର ରୂପରେଖ ମଧ୍ୟ ସେତିକି ସେତିକି ବଦଳୁଛି । ତେବେ ସାମ୍ବାଦିକତାର ମୂଳତତ୍ତ୍ୱ ବା ଉଦ୍ଦେଶ୍ୟ ସେମିତି ହିଁ ରହିଛି । ଏଣୁ ସାମ୍ବାଦିକମାନେ ଲେଖିବାବେଳେ ସଠିକ୍ ଶବ୍ଦ ଓ ତଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର । ଅନେକ ସମୟରେ ଗୋଟିଏ ଗୋଟିଏ ଶବ୍ଦ ସମ୍ପୂର୍ଣ୍ଣ ଖବରଟିକୁ ଭୁଲ କରିଦେଇପାରେ କିମ୍ବା କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇପାରେ । ତେବେ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଖବର ପରିବେଷଣ ହେବା ଆବଶ୍ୟକ ବୋଲି ପ୍ରଫେସର ଝା’ ମତବ୍ୟକ୍ତ କରିଛନ୍ତି ।
ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି, ଦେଶର ପ୍ରଥମ ଶାଖା ଭାବେ ଢେଙ୍କାନାଳରେ ଆଇଆଇଏମ୍ସି ଖୋଲିଥିଲା । ଏଠାରୁ ଉତ୍ତୀର୍ଣ୍ଣ ହୋଇ ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶର ବିଭିନ୍ନ ଗଣମାଧ୍ୟମ ଓ ସରକାରୀ ସଂସ୍ଥାନରେ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆଇଆଇଏମ୍ସିର ସମସ୍ତ ୬ଟି ଯାକ କ୍ୟାମ୍ପସ୍ ସ୍ୱତନ୍ତ୍ର । ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସହଯୋଗ ମଧ୍ୟ ରହିଆସିଛି । ଏଣୁ ଆଜି ଆଇଆଇଏମ୍ସି ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ପ୍ରଫେସର ପ୍ରଧାନ ପ୍ରକାଶ କରିଛନ୍ତି ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ତର୍କ-ବିତର୍କ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ତର୍କ-ବିତର୍କ ପ୍ରତିଯୋଗିତାରେ ସୁଜଲ ଶର୍ମା ପ୍ରଥମ ହୋଇଥିବାବେଳେ ଉତ୍ପଳ କୁମାର ଓ ଉଦ୍ଦେଶ୍ୟ ଠାକୁର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ତର୍କ-ବିତର୍କ ପ୍ରତିଯୋଗିତାରେ ଶିବ ପ୍ରସାଦ ମହାନ୍ତି, ଓମ୍ ଶୁଭମ୍ ମଲିକ ଓ ଆଶୁତୋଷ ପାଢ଼ୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଇଂରାଜୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଶ୍ରୁତି, ଦେବାଂଶୀ ଓ ଅମନ୍ ଏବଂ ଓଡ଼ିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଓମ୍ ଶୁଭମ୍ ମଲିକ, ଆଶୁତୋଷ ପାଢ଼ୀ ଓ ଗୋପଚାନ୍ଦ ବିଶ୍ୱାଳ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି ।
ସଂସ୍ଥାନର ସହକାରୀ ପ୍ରଫେସର ଡ. ଚିତସ୍ରୋତା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ପ୍ରଦାନ କରିଛନ୍ତି ସହକାରୀ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ୍ । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ସକାଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ପ୍ରଧାନ ଓ ଛାତ୍ରଛାତ୍ରୀ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଥିଲେ । ପରେ ମୁଖ୍ୟ ଅତିଥି ପ୍ରଫେସର ଝା’ ସଂସ୍ଥାନ ପରିସରରେ ଏକ ଚାରା ରୋପଣ କରିଥିଲେ । ସେହିପରି ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ।
ମନୋରଞ୍ଜନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଜୀବନୀ ଉପରେ ମଞ୍ଚସ୍ଥ କ୍ଷୁଦ୍ର ନାଟକ । ଓଡ଼ିଆ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନେ ଏଥିରେ ଅତି ସୁନ୍ଦର ଭାବେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲେ । ସେହିପରି ଇଂରାଜୀ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନେ ନାରୀ ନିର୍ଯାତନା ଉପରେ ଏକ ନାଟକ ମଞ୍ଚସ୍ଥ କରି ସମସ୍ତଙ୍କୁ ଦେଇଥିଲେ ଭିନ୍ନ ଅନୁଭବ । ସମାଜରେ ନାରୀଙ୍କ ଉପରେ ଅତ୍ୟାଚାର, ନିର୍ଯାତନା, ଶୋଷଣ, ଦୁଷ୍କର୍ମ ବନ୍ଦ ହେବା ଦରକାର ତଥା ମହିଳାଙ୍କ ପ୍ରତି ସମାଜର ସକାରାତ୍ମକ ମନୋଭାବ ରହିବା ଉଚିତ ବୋଲି ଅଭିନୟ ମାଧ୍ୟମରେ ଅତି ଚମତ୍କାର ଢଙ୍ଗରେ ଦେଖାଇଥିଲେ ଛାତ୍ରଛାତ୍ରୀ । ଏହାସହ ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ନୃତ୍ୟ ଓ ଗୀତ ମାଧ୍ୟମରେ ସନ୍ଧ୍ୟାକୁ ବେଶ୍ ରସାଳ କରିଥିଲେ ।

