ଓମ୍ଫେଡ୍ ଘିଅ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଚିଠି କରାଯିବା ପରେ ଏବେ ଶ୍ରୀମନ୍ଦିର ଅବଢ଼ା ଦାମ ଦୁଇଗୁଣା ହୋଇଯାଇଛି । ଘିଅ ଅନ୍ନ, କାନିକା ଓ ଘିଅରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ସମେତ ଶୁଖିଲି ମହାପ୍ରସାଦ ଦାମ୍ ବଢ଼ିଯାଇଛି । ବାଇହାଣ୍ଡି ଘିଅ ଅନ୍ନ ଦାମ୍ ପ୍ରାୟ ୨ ହଜାର ସ୍ଥାନରେ ଏବେ ପ୍ରାୟ ୩୫୦୦ ହୋଇଥିବା ବେଳେ କାନିକା ୩ ହଜାର ସ୍ଥାନରେ ୪ ହଜାର ହୋଇଛି । ସେହିପରି ଖଜା ୫ ଓ ୧୦ ଟଙ୍କା ସ୍ଥାନରେ ପ୍ରାୟ ୨୦ ଓ ୪୦ ଟଙ୍କା ହୋଇଛି । ପିଠା, ମଗଜ ଲଡ଼ୁ ପ୍ରଭୃତି ଘିଅ ଛଣା ମହାପ୍ରସାଦ ଦର ମଧ୍ୟ ବଢ଼ିଯାଇଛି ।
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏଭଳି ହୁହୁ ଦର ବଢ଼ିଯିବା ଶୁଣି ଶ୍ରଦ୍ଧାଳୁ ତାଜୁବ୍ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁଆର ଓ ସେମାନଙ୍କ ସହଯୋଗୀମାନେ ଏଥିପାଇଁ ଓମ୍ଫେଡ୍ ବ୍ୟବହୃତ ଘିଅକୁ ଦାୟୀ କରୁଛନ୍ତି । ଆଗରୁ ଡାଲଡାରେ ସବୁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଓମ୍ଫେଡ୍ ବ୍ୟବହାର ହେଉଥିବାରୁ ଦାମ୍ ଦୁଇଗୁଣା ହୋଇଗଲା ବୋଲି ଶ୍ରଦ୍ଧାଳୁଙ୍କୁ ବୁଝାଇ ବିକ୍ରି କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀମନ୍ଦିରରେ ଶୋଷଣ ମୁକ୍ତ ବ୍ୟବସ୍ଥା କରିବା ନିମନ୍ତେ ମହାପ୍ରସାଦ ଦର ତାଲିକା ଲଗାଗଲା ନାହିଁ। ତେଣୁ ଆନନ୍ଦ ବଜାରରେ ଯାହା ପାଟିରୁ ବାହାରୁଛି ଶ୍ରଦ୍ଧାଳୁ ବାଧ୍ୟ ଦେବାକୁ ବାଧ୍ୟ ହେଉଛି, ନଚେତ୍ ମୁହଁ ଶୁଖାଇ ଘରକୁ ଯାଉଛି ।

