ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଏହା ପର୍ଯ୍ୟାୟକ୍ରମେ ଅବପାତ ଏବଂ ବାତ୍ୟାର ରୂପ ନେବ । ୨୩ରେ ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ତେବେ ବାତ୍ୟାର ନାଁ ରଖାଯାଇଛି ‘ଦାନା’ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁସାରେ, ୨୪ ସକାଳେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଦାନା’ । ସେହିଦିନ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।
ସେପଟେ IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ । ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ପର୍ଯ୍ୟନ୍ତ ଯିବ ବୋଲି ଆକଳନ କରାଯାଇଛି । ଏହା ପ୍ରଭାବରେ ଖାଲି ପବନ କି ବର୍ଷା ନୁହେଁ ତା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ବି ଚେତାଇ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ସମୁଦ୍ର ଭିତରେ ଥିବା ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

