ସାମାଜିକ କଲ୍ୟାଣ ଲାଗି ନିଜ ଧନ ସମ୍ପତ୍ତା ଦାନ କରିବାରେ ଆଗରେ ଥିବା ବଦାନ୍ୟ ବ୍ୟକ୍ତିଙ୍କ ତାଲିକାରେ ଓଡ଼ିଶାର ଚର୍ଚ୍ଚିତ ଦମ୍ପତି ସୁବ୍ରତ ଓ ସୁସ୍ମିତା ବାଗ୍ଚୀଙ୍କ ନାମ ରହିଛି।
ଦେଶର ଶ୍ରେଷ୍ଠ ୧୦ ବଦାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସେମାନେ ନବମ ସ୍ଥାନରେ ରହିଛନ୍ତି । ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ଥିବା ଉଭୟ ସୁବ୍ରତ ଓ ସୁସ୍ମିତା ୨୦୨୩- ୨୪ ଆର୍ଥିକ ବର୍ଷରେ ୧୭୯ କୋଟି ଟଙ୍କା ଦାନ କରିଛନ୍ତି ଯାହା ପୂର୍ବବର୍ଷ ତୁଳନାରେ ୬୩ ପ୍ରତିଶତ ଅଧିକ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲାଗି ସେମାନେ କାର୍ଯ୍ୟ କରୁଛନ୍ତି।

୨୦୨୩ରେ ସେମାନେ ଅହମ୍ମଦାବାଦ ବିଶ୍ବବିଦ୍ୟାଳୟରେ ବାଗ୍ଚୀ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ ସ୍ଥାପନ କରିଥିଲେ । ଅନ୍ୟ ପକ୍ଷରେ, ବ୍ୟକ୍ତିଗତ ଦାନ କ୍ଷେତ୍ରରେ ବାଗ୍ଚୀ ଦମ୍ପତି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ।
ବଦାନ୍ୟ ମହିଳାଙ୍କ ତାଲିକାରେ ସୁସ୍ମିତା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସୁସ୍ମିତା ହେଉଛନ୍ତି ଜଣେ ଜଣାଶୁଣା ଓଡ଼ିଆ ଲେଖିକା | ସେ ଅନେକ କ୍ଷୁଦ୍ର କାହାଣୀ, ଉପନ୍ୟାସ, ଭ୍ରମଣ କାହାଣୀ ଲେଖିଛନ୍ତି। ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ଅନେକ ଲେଖା ରହିଛି। ସାହିତ୍ୟ ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ଥର ସମ୍ମାନିତ ମଧ୍ୟ ହୋଇଛନ୍ତି।
କଟକରେ ଜନ୍ମ ଗ୍ରହଣ କରିଥିବା ସୁସ୍ମିତା ହେଉଛନ୍ତି ବିଶିଷ୍ଟ ଲେଖିକା ଶକୁନ୍ତଳା ପଣ୍ଡାଙ୍କ ଝିଆ ତେବେ, ଏଡେଲ୍ଗିଭ୍- ହୁରୁନ୍ ଇଣ୍ଡିଆ ବଦାନ୍ୟ ତାଲିକାରେ ସର୍ବଭାରତୀୟ ସ୍ତରରେ ୨୧୫୩ କୋଟି ଟଙ୍କା ଦାନ କରି ଏନ୍ସିଏଲ୍ ଟେକ୍ନୋଲୋଜିଜ୍ର ଶିବ ନାଦର ଶୀର୍ଷ ସ୍ଥାନରେ ରହିଛନ୍ତି । ମୁକେଶ ଅମ୍ବାନି ୪୦୭ କୋଟି ଟଙ୍କା, ବଜାଜ ପରିବାର ୩୫୨ କୋଟି ଟଙ୍କା, କୁମାର ମଙ୍ଗଳମ ବିର୍ଲା ୩୩୪ କୋଟି ଟଙ୍କା, ଗୌତମ ଆଦାନି ୩୩୦ କୋଟି ଟଙ୍କା ଓ ନନ୍ଦନ ନିଲେକାନି ୩୦୭ କୋଟି ଟଙ୍କା ଦାନ କରିଛନ୍ତି । ଜିରୋଧାର ନିଖିଲ କାମାତ ୧୨୦ କୋଟି ଟଙ୍କା ଦାନ କରି ସର୍ବକନିଷ୍ଠ ବଦାନ୍ୟ ବ୍ୟକ୍ତି ମାନ୍ୟତା ହାସଲ କରିଛନ୍ତି |

