ସେମ୍ବକର୍ପର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ

ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରି ରବିବାର ବିଭିନ୍ନ କମ୍ପାନୀର ଶୀର୍ଷ ନେତୃତ୍ୱମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ। ସେମ୍ବକର୍ପ କମ୍ପାନୀର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ଏହି ଚୁକ୍ତି ହେବା ପରେ ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆସି ଶକ୍ତି, ସବୁଜ ତୈଳ ଏବଂ ଏ ସମ୍ବନ୍ଧୀୟ ସବୁ ପ୍ରକାର ଉତ୍ପାଦନ ପ୍ରକଳ୍ପ ଦିଗରେ ପୁଞ୍ଜିନିବେଶ କରିବା ନେଇ ସେମାନଙ୍କ ଆଗ୍ରହ ବଢ଼ିବ। ସିଙ୍ଗାପୁର ଶିଳ୍ପାୟନ ଲାଗି ପ୍ରସିଦ୍ଧ।

ସେଠାରେ ଶିଳ୍ପାୟନ କ୍ଷେତ୍ରରେ କରାଯାଉଥିବା ସ୍ବତନ୍ତ୍ର ପରିକଳ୍ପନାକୁ ଦେଖି ପ୍ରଥମ ବିଦେଶ ଗସ୍ତ ପାଇଁ ସେ ସିଙ୍ଗାପୁରକୁ ଚୟନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ସିଙ୍ଗାପୁର ଭିତ୍ତିଭୂମି, ଲଜିଷ୍ଟିକ ଏବଂ ଅର୍ବାନ ମ୍ୟାନେଜମେଣ୍ଟରେ ବହୁତ ଭଲ ପ୍ରଦର୍ଶନ କରିଆସିଛି। ଭାରତ ଏବଂ ସିଙ୍ଗାପୁର ସହଭାଗିତା ଏକ ଦୃଢ଼ ଆର୍ଥନୀତିକ, ଷ୍ଟ୍ରାଟେଜିକ ଏବଂ ସାଂସ୍କୃତିକ ସମ୍ପର୍କ ସୃଷ୍ଟି କରିଛି। ଓଡ଼ିଶା ଦୁଇ ଦେଶ ମଧ୍ୟରେ ଥିବା ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଭାଜପା ସରକାର ପୁଞ୍ଜିନିବେଶକଙ୍କ ଲାଗି ସବୁ ପ୍ରକାର ସୁବିଧା ଯୋଗାଇଦେବ। ହସ୍ତତନ୍ତ, ସାମୁଦ୍ରିକ ଖାଦ୍ୟ ଏବଂ ଦକ୍ଷ ଶ୍ରମିକ ମଧ୍ୟ ପୁଞ୍ଜିନିବେଶକାରୀ ସଂସ୍ଥାକୁ ଯୋଗାଇଦେବ।

ଏହି ଅବସରରେ ସେ ସେମ୍ବକର୍ପ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ ଦେଇଥିବା ନେଇ ଘୋଷଣା କରିଛନ୍ତି। ଏହି ସହଭାଗିତା ସହିତ ସବୁଜ ତୈଳ, ଶକ୍ତି ଏବଂ ଏହି ସମ୍ବନ୍ଧୀୟ ପ୍ରକଳ୍ପ ଦିଗରେ ପୁଞ୍ଜିନିବେଶକାରୀ କିପରି ଅଧିକ ଓଡ଼ିଶା ପ୍ରତି ଆକର୍ଷିତ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶା ଟିମ୍ ସେମ୍ବକର୍ପ ଇଣ୍ଡଷ୍ଟ୍ରି ଲିମିଟେଡ ଗସ୍ତ କରିଛନ୍ତି। ଏହାସହ ପ୍ରତିନିଧି ପ୍ରଥମେ ସିଟି ମେଟ୍ରିକ୍ସ ଫାଉଣ୍ଡର ଏଡ୍ଓ୍ବାର୍ଡ ମୋର୍ଟନଙ୍କ ସହ ଆଲୋଚନା କରିଥିଲେ। ଏହି କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କଲେ ରାଜ୍ୟ ସରକାର ସବୁ ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ମୋର୍ଟନଙ୍କୁ ଓଡ଼ିଶା ଆସିବା ଲାଗି ତାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାପରେ ଭିସା ଗ୍ରୁପ ଲିମିଟେଡ ନିର୍ଦ୍ଦେଶକ ବିବେକ ଅଗ୍ରଓ୍ବାଲଙ୍କ ସହ ଆଲୋଚନା ହୋଇଥିଲା। ଭିସା ଗ୍ରୁପ ଓଡ଼ିଶାରେ ଷ୍ଟିଲ ଏବଂ ଫେରୋକ୍ରୋମ ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ଲାଗି ସୁଯୋଗ ସୃଷ୍ଟି କରିବାକୁ କୁହାଯାଇଥିଲା।

ଓଡ଼ିଶା ପ୍ରତିନିଧି ଦଳ ଓରିଣ୍ଡ ସିଙ୍ଗାପୁର ପିଟିଇ ଲିମିଟେଡ ଅଧ୍ୟକ୍ଷ ରବିନ ଝୁନ୍ଝୁନ୍ଓ୍ବାଲାଙ୍କୁ ଭେଟି ବାଓ-ଫର୍ଟିଲାଇଜର କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ କମ୍ପାନୀକୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଥମ ଦିନର ସିଙ୍ଗାପୁର ଗସ୍ତରେ ଓଡ଼ିଶା ପ୍ରତିନିଧି ମଣ୍ଡଳୀ ସିଙ୍ଗାପୁରଠାରେ ଭାରତ ହାଇକମିଶନର ଶିଲପକ୍ ଆମ୍ବ୍ୟୁଲଙ୍କ ସହ ଭେଟି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଆମ୍ବ୍ୟୁଲ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ ଯେ ଓଡ଼ିଶା ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ସବୁଜ ତୈଳ ଆଦି ବ୍ୟବସାୟକୁ ଗୁରୁତ୍ୱ ଦେଇ ସିଙ୍ଗାପୁର ସହିତ ଥିବା ସମ୍ପର୍କକୁ ଅଧିକ ମଜଭୁତ କରିପାରିବ।

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ପ୍ରଥମ ଦିନରେ ପୁଞ୍ଜିନିବେଶକାରୀଙ୍କ ସହିତ ହୋଇଥିବା ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହାଦ୍ୱାରା ଆଗକୁ ଗ୍ଲୋବାଲ ଇନ୍ଭେଷ୍ଟମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରିବ। ଏହି ଗସ୍ତ ମେକ୍ ଇନ୍ ଓଡ଼ିଶା ୨୦୨୫ରେ ଗ୍ଲୋବାଲ ଇନଭେଷ୍ଟର୍ସ ଓଡ଼ିଶାର ଶକ୍ତି ହେବ ବୋଲି ସେ କହିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!