ଦେଶର ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ସହର ଅନୁଗୁଳ

ଚଳିତମାସ ପହିଲା ବେଳକୁ ଅନୁଗୁଳର ବାୟୁମଣ୍ଡଳ ସ୍ବଚ୍ଛ ଥିଲା। କିନ୍ତୁ ଗତ ୫ ଦିନରେ ପ୍ରଦୂଷଣ ସୀମା ଟପିଛି। ଆଉ ଆଜି ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୩୧୯ରେ ପହଞ୍ଚିଛି। ଫଳରେ ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ହୋଇଛି ଅନୁଗୁଳ। ଏଠାରେ ବାୟୁ ପ୍ରଦୂଷଣ ନୂଆଦିଲ୍ଲୀକୁ ପାର୍‌ କରି ଯାଇଥିଲା ବେଳେ ଦେଶର ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ସହର ଭାବେ ଦୁର୍ନାମ ମୁଣ୍ଡାଇଛି।

ଅନୁଗୁଳ ସହରରେ ଆଜି ଅପରାହ୍‌ଣ ୪ଟା ସୁଦ୍ଧା ବାୟୁ ମାନ ସୂଚକାଙ୍କ ୩୧୯ ରହିଥିଲା। ଗତକାଲି ପ୍ରଦୂଷଣ ଏହାଠାରୁ ଅଧିକ ଥିଲା। ଗତକାଲି ଅନୁଗୁଳ ସହରର ଏକ୍ୟୁଆଇ ୩୨୩ ରହିଥିଲା ବେଳେ ୪ ତାରିଖରେ ୨୦୭ ରହିଥିଲା। ଚଳିତମାସ ୧ ତାରିଖରେ ଅନୁଗୁଳର ଏକ୍ୟୁଆଇ ୮୭ ରହିବା ସହ ପରିବେଶ ସ୍ବଚ୍ଛ ଥିଲା। ୨ ତାରିଖରେ ଏହା ୧୧୮ରେ ପହଞ୍ଚିଥିଲା ବେଳେ ୩ ତାରିଖ‌ରେ ୨୧୯ ଛୁଇଁଥିଲା। ଲଗାତାର ଦ୍ବିତୀୟ ଦିନ ପାଇଁ ଅନୁଗୁଳର ଏକ୍ୟୁଆଇ ୩ଶହ ଉପରେ ରହିବା ପରେ ଏହା ଚିନ୍ତା ବଢ଼ାଇଛି। ବାୟୁମଣ୍ଡରେ ପିଏମ୍‌ ୨.୫ ସ୍ତର ଅଧିକ ରହୁଛି। ଅତି କ୍ଷୁଦ୍ର କଣିକା ବାୟୁମଣ୍ଡଳରେ ରହୁଥିବାରୁ ଏହା ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ହଠାତ୍‌ ବୃଦ୍ଧି ପାଇଥିଲା ବେଳେ ତାଳଚେର ସ୍ଥିତି ବି ଭଲ ନୁହେଁ। ଆଜି ଏଠାରେ ଏକ୍ୟୁଆଇ ୧୫୪ ରହିଛି। ବାୟୁମଣ୍ଡଳରେ ପିଏମ୍‌-୧୦ ସ୍ତର ଅଧିକ ରହିଛି। ତେବେ ଗତକାଲି ଏଠାରେ ଏକ୍ୟୁଆଇ ୩୦୨ରେ ପହଞ୍ଚିଥିଲା। ବାୟୁମଣ୍ଡଳରେ ଓଜୋନ୍ ସ୍ତର ବଢ଼ିବା ସହ ଅତି କ୍ଷୁଦ୍ର କଣିକା ବି ଭରି ଯାଇଥିଲା। ତେବେ ଏହା ପୂର୍ବରୁ ପ୍ରାୟ ସପ୍ତାହେ ଧରି ଏକ୍ୟୁଆଇ ୨ଶହ ତଳେ ରହୁଥିଲା। ଶେଷଥର ପାଇଁ ଗତ ମାସ ୨୬ ତାରିଖରେ ଏକ୍ୟୁଆଇ ୩୦୬ ଓ ୨୭ ତାରିଖରେ ୩୦୨ ରହିଥିଲା। ବାୟୁ ପ୍ରଦୂଷଣର ହଟ୍‌ସ୍ପଟ୍‌ ପାଲଟିଥିବା ଅନୁଗୁଳ ଆଜି ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ହୋଇଛି। ଭୁବନେଶ୍ବରରେ ଏକ୍ୟୁଆଇ ୨୫୦ ରହିଥିଲା ବେଳେ କଟକରେ ୨୦୨, ବାଲେଶ୍ବରରେ ୧୮୫ ଓ ବାରିପଦାରେ ଏକ୍ୟୁଆଇ ୧୮୨ ରହିଥିଲା। ଅପରପକ୍ଷରେ ମେଘାଳୟର ବିର୍ଣ୍ଣିହାଟରେ ଆଜି ଏକ୍ୟୁଆଇ ୩୨୨ ରହିଥିଲା ବେଳେ ଏହା ଦେଶର ସର୍ବାଧିକ ପ୍ରଦୂଷିତ ସହର ପାଲଟିଛି। ଏହା ତଳକୁ ଅନୁଗୁଳ ରହିଛି। ଦିଲ୍ଲୀରେ ଆଜି ଏକ୍ୟୁଆଇ ୧୯୭ ରହିଥିଲା ବେଳେ ଦେଶର ୬ଟି ସହରରେ ଏକ୍ୟୁଆଇ ୩ ଶହ ଉପରେ ରହିଛି। କିଛି ଦିନ ହେଲା ଆକାଶ ମେଘୁଆ ରହୁଥିବାରୁ ବାୟୁ ପ୍ରଦୂଷଣ ଏମିତି ଲମ୍ବଡିଆଁ ମାରିଥିବା ଅନୁମାନ କରାଯାଉଛି। ଏପଟେ ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ ପାଇଁ ପ୍ରଦୂଷଣ ବଢ଼ୁଛି। ଏବେ ନିର୍ମାଣ କାମ ଜୋରସାର୍‌ରେ ଚାଲିଥିବାରୁ ଅନୁଗୁଳରେ ବାୟୁ ପ୍ରଦୂଷଣ ଉପରମୁହାଁ ହେଉଛି। ଏଥିପାଇଁ ସାଧାରଣ ଲୋକେ ସମସ୍ୟାରେ ପଡୁଥିବା ବେଳେ ରୋଗୀ ଓ ବୟସ୍କ ଲୋକମାନେ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି। ଏକ୍ୟୁଆଇ ୩ ଶହ ଉପରେ ରହିଲେ ଶରୀର ଉପରେ ଏହ‌ାର ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!