କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ପୁଲିସର ଅନ୍ୟତମ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ

ଓଡ଼ିଶା ପୁଲିସର ଅନ୍ୟତମ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି। ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ‌ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍‌ଡି ପଦବିରେ ଅଛନ୍ତି। ତାଙ୍କୁ ବିଏସ୍‌ଏଫ୍‌ ଆଇଜି ଭାବେ ମୁତୟନ କରାଯିବ। ସେ ୨୦୨୮ ମସିହାରେ ଅବସର ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବିରେ ରହିବେ ବୋଲି କୁହାଯାଇଛି।

କେନ୍ଦ୍ର ସରକାର ଡିଏସ୍‌ କୁଟ୍ଟେଙ୍କ ପୂର୍ବରୁ ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରାସ୍ତା ଦେଖାଇଛନ୍ତି। ଆଶିଷ ସିଂହ ଇଣ୍ଡୋ ତିବ୍ବତିଆନ ବର୍ଡର ପୁଲିସ(ଆଇଟିବିପି)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଆଶିଷ ସିଂହଙ୍କର  ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାମ କରିବାର ଅଭିଜ୍ଞତା ରହିଛି।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ଆଶିଷ ସିଂ ମେଡିକାଲ ଲିଭ୍‌ରେ ଥିଲେ। ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ନେଇ ମୁଖ୍ୟ ନିର୍ବାଚନ କମିସନର(ଇସିଆଇ)ଙ୍କ ପାଖରେ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି-ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା।
ଭାରତୀୟ ନିର୍ବାଚନ କମିସନ ମେଡିକାଲ ଲିଭ୍‌ରେ ଥିବା ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାପଡ଼ିଥିଲା ଯେ, ଆଶିଷ ମିଛ କହି ଛୁଟିରେ ଥିଲେ। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଇସିଆଇ ନିର୍ଦ୍ଦେଶ ଦେଇଥିଲେ। ପରେ ରାଜ୍ୟ ସରକାର ଆଇପିଏସ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରିଥିଲେ।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!