ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବାକୁ ହେବାକୁ ଯାଉଛି ବାଧା ବିହୀନ ଜଗା ଦର୍ଶନ ବ୍ୟବସ୍ଥା । ବ୍ୟାରିକେଡ୍ ଓ ରାଂପ୍ ଦର୍ଶନ ବ୍ୟବସ୍ଥା କିଭଳି ହେବ, ସେ ନେଇ ଛତିଶା ନିଯୋଗ ଓ ବିଭିନ୍ନ ପକ୍ଷଙ୍କ ପରାମର୍ଶ ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଦର୍ଶନ ବ୍ୟବସ୍ଥା ସହ ଆନନ୍ଦ ବଜାରରେ ମଧ୍ୟ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା । ଜାନୁଆରୀ ପହିଲାରୁ ଲାଗୁ ହେବ ନାଟମଣ୍ଡପରେ ବ୍ୟାରିକେଡ୍ ଓ ରାଂପ୍ ସିଷ୍ଟମ । ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଦିବ୍ୟାଙ୍ଗ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ପୁରୁଷ ଭକ୍ତଙ୍କ ପାଇଁ ରହିବ ଅଲଗା ଅଲଗା ଲାଇନ୍ । ତେବେ କେମିତି ଓ କେଉଁଠୁ ଆରମ୍ଭ ହେବ ବ୍ୟାରିକେଡ୍ ? ଏ ନେଇ ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କୁ ଅବଗତ କରାଯିବା ସହ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଓବିସିସି କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ସବିଶେଷ ଆଲୋଚନା ସରିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶା ନିଯୋଗରର ପରାମର୍ଶ ଆଧାରରେ ଅସ୍ଥାୟୀ ବ୍ୟାରିକେଡ୍ ବ୍ୟବସ୍ଥା ନିର୍ମାଣ ଦ୍ବାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଚାଲିବ । ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ମଧ୍ୟ ଉଦ୍ୟମ ଚାଲିଛି ।

