ଆଇଆଇଏମ୍‌ସି ରେ ଶିଶୁ ସ୍ୱାସ୍ଥ୍ୟ ଓ ଶିକ୍ଷା ରିପୋର୍ଟିଂ ନେଇ ସ୍ୱତନ୍ତ୍ର ବକ୍ତବ୍ୟ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ଢେଙ୍କାନାଳରେ ‘ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ଶିକ୍ଷା କ୍ଷେତ୍ରରେ ସମସ୍ୟା’ ସମ୍ପର୍କିତ ଏକ ସ୍ୱତନ୍ତ୍ର ବକ୍ତବ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ୟୁନିସେଫ୍‌ର ସୋସିଆଲ୍ ଆଣ୍ଡ ବିହେଭିଅର ଚେଞ୍ଜ ସ୍ପେଶାଲିଷ୍ଟ ଡ. ସୁଗତ ରୟ ଯୋଗଦେଇ ସଂସ୍ଥାନର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଅବସରରେ ଡ. ରୟ କହିଛନ୍ତି, ଶିଶୁମାନେ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ । ହେଲେ ଆଜି ବି ବହୁତ ଶିଶୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ କ୍ଷେତ୍ରରେ ଶିଶୁଙ୍କ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ସଠିକ୍ ସମୟରେ ହୋଇପାରୁନି । ପୁଣି ଆଉ କିଛି ସ୍ଥାନରେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି ଅନେକ ଶିଶୁ । ସେହିପରି ଉପଯୁକ୍ତ ପ୍ରାରମ୍ଭିକ ଶିଶୁ ଶିକ୍ଷା ମଧ୍ୟ ଆଉ ଏକ ସମସ୍ୟା । ତେବେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସାମ୍ବାଦିକ ମାନେ ଶିଶୁଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଖବରକୁ ଅଧିକ ପ୍ରାଧାନ୍ୟ ଦେଇ ପରିବେଷଣ କରିବା ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏଥିସହିତ ୟୁନିସେଫ୍‌ର ଯୋଗାଯୋଗ ବିଶେଷଜ୍ଞ ଶାରଦା ଲାହାଙ୍ଗିର କହିଛନ୍ତି, ସାମ୍ବାଦିକମାନେ ଶିଶୁଙ୍କ ସମସ୍ୟା ସମ୍ପର୍କରେ ଅଧିକ ସଚେତନ ରହିବା ସହ ସେ ସମ୍ପର୍କିତ ଅଧିକରୁ ଅଧିକ ଖବର ଉପସ୍ଥାପନ କରିବା ଆବଶ୍ୟକ । ଏହାଦ୍ୱାରା ନୀତି ପ୍ରଣୟନକାରୀମାନେ ଶିଶୁ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବାବେଳେ ବିଭିନ୍ନ ବିଷୟକୁ ବିଚାରକୁ ନେଇପାରିବେ ଏବଂ ସମାଜରେ ଏକ ମୂଲ୍ୟବାନ ପରିବର୍ତ୍ତନ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ୍ ଅତିଥି ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପସ୍ଥିତ ଥିଲେ ।

Post Views34 Total Count

Apply Now


This will close in 0 seconds

error: Content is protected !!