ଶ୍ରୀଲିଙ୍ଗରାଜ ମନ୍ଦିରରେ ଠେଲାପେଲା । ମହାଶିବରାତ୍ରୀ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନିକଟରେ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଏଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସେମାନଙ୍କ ଆଶୁ ଚିକିତ୍ସା କରାଯାଇଛି । ଏବେ ଉଭୟ ସୁସ୍ଥ ଥିବା ସୂଚନା ମିଳୁଛି । ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଛି ।
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ”ଆଶାଠାରୁ ଅଧିକ ଭକ୍ତ ଯୋଗୁଁ ଭିଡ଼ ନିୟନ୍ତ୍ରଣ ହୋଇପାରିଲାନି । ଗୋଟିଏ ଦ୍ୱାରରେ ଲୋକମାନେ ଯିବାଆସିବା କରିବା ଦ୍ୱାରା ଭିଡ ଅସମ୍ଭାଳ ହୋଇପଡ଼ିଲା । ହେଲେ ଏବେ ସ୍ଥିତି ସୁଧୁରୁଛି । ପୋଲିସ ଫୋର୍ସ ଲାଗିଛନ୍ତି । ରାତି ସମୟ ଆମ ପାଇଁ ଅଧିକ ଚାଲେଞ୍ଜ ହେବ । ଆମେ ପ୍ରସ୍ତୁତ ହେଉଛୁ । ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ହେବ ।” ରାତି ୩ଟାରୁ ଏବେସୁଦ୍ଧା ପ୍ରାୟ ୫୦ ହଜାର ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ସାରିଥିବା ଡିସିପି ସୂଚନା ଦେଇଛନ୍ତି ।
ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିରରେ ଆକଳନଠୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଛି । ଅଧିକ ଭକ୍ତଙ୍କ ସମାଗମ ଯୋଗୁଁ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟ ହୋଇଛି । ୧୧ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ପରେ ଭିଡ଼ ବ୍ୟବସ୍ଥିତ ହୋଇଯିବ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ଅଧିକାରୀମାନେ ସବୁ ପ୍ରବେଶ ଦ୍ବାରରେ ମୁତୟନ ହୋଇଛନ୍ତି । ଏନେଇ ବ୍ୟସ୍ତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

