ଶିବରାତ୍ରି ପାଳନ ଵିଧି

ବସନ୍ତ ଋତୁ, ବସନ୍ତ ମଳୟ ବସନ୍ତ ପୁଷ୍ପର ସୁରଭି ମଣିଷ ମନରେ ଉନ୍ମାଦନା ସୃଷ୍ଟି କରେ। ଉନ୍ମତ୍ତ ମଣିଷ ହୁଏ ଉତ୍ସୃଙ୍ଖଳ। ସେହି ଉତ୍ସୃଙ୍ଖଳ ମଣିଷକୁ ସଞ୍ଜତ କରିବା ପାଇଁ ଏହି ବ୍ରତ ପାଳନର ବ୍ୟବସ୍ଥା। ପବିତ୍ରତା ଓ ସଞ୍ଜତ ଭାବରେ ଏହି ପୂଜା କରାଯାଏ। ମାଘ କୃଷ୍ଣ ଚତୁର୍ଦ୍ଦଶୀକୁ ଶିବରାତ୍ରି ବା ଜାଗର ନାମରେ ପାଳନ କରାଯାଏ। ଶିବଙ୍କ ପ୍ରିୟ ଚଉଦଟି ଯାତ୍ରା ମଧ୍ୟରୁ ଶିବ ଚତୁର୍ଦ୍ଦଶୀ ଲୋକପ୍ରିୟ। ଏହି ଦିନଠାରୁ ଯୋଗେଶ୍ୱର ଶିବ ସମସ୍ତ କାମନାକୁ ପରିତ୍ୟାଗ କରି ସଞ୍ଜମ ବ୍ରତ ପାଳନ କରନ୍ତି ଏବଂ ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷରେ ପାର୍ବତୀଙ୍କ ସହ ବିବାହରେ ତାହାର ପରିସମାପ୍ତି ହୁଏ। ତେଣୁ ତାହା ଶୀତଳ ଷଷ୍ଠୀ ନାମରେ ନାମିତ।

ଶିବରାତ୍ରିକୁ ଚାରୋଟି ପ୍ରହରରେ ଶେଷ କରାଯାଏ। ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା। ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ କ୍ଷୀରରେ ଅଭିଷେକ କରାଯାଏ। ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ। ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ। ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ। ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ। ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ। ଏହିଦିନ ଭଗବାନ ଶିବଙ୍କ ଉପରେ ବେଲପତ୍ର ଓ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।

 

ଶିବ ପୂଜାର ଆଉ ଏକ ବିଶିଷ୍ଟ କଥା ହେଉଛି ଶିବ ପରିବାରର ମାହାତ୍ମ୍ୟ। ଶିବଙ୍କର ବାହନ ବୃଷଭ। ନାଗ ଶିବଙ୍କର ଅଙ୍ଗାଭରଣ। ଆଦି ଶକ୍ତି ମାତା ପାର୍ବତୀଙ୍କ ବାହନ ସିଂହ।କାର୍ତ୍ତିକେଶ୍ୱରଙ୍କର ବାହନ ମୟୂର ଓ ଗଣେଶଙ୍କ ବାହନ ମୂଷା। ଏ ସମସ୍ତେ ପରସ୍ପରର ଶତ୍ରୁ। ମାତ୍ର ଗୋଟିଏ ପରିବାରରେ ସେମାନଙ୍କର ସହାବସ୍ଥାନ ଏ ମଣିଷକୁ ଶିକ୍ଷା ଦିଏ ସମାଜରେ ତଥା ପରିବାରରେ ଏହିପରି ବିଭିନ୍ନ ପ୍ରକୃତିର ଲୋକ ଅଛନ୍ତି, ମାତ୍ର ଶିବ ପରିବାର ପରି ସମସ୍ତଙ୍କୁ ନେଇ ଶାନ୍ତିରେ ସହାବସ୍ଥାନ ଆମର କାମ୍ୟ।

 

 

Post Views29 Total Count

Apply Now


This will close in 0 seconds

error: Content is protected !!