ମୟୂରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ମାଝୀ ସରକାରୀ ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି । ସରକାରୀ ଗାଡ଼ିର ଡ୍ରାଇଭର ଭାବେ ପ୍ରଥମ ଥର ଜଣେ ମହିଳାଙ୍କୁ ନିଯୁକ୍ତି ମିଳିଛି । ପରିବହନ ବିଭାଗର ଏହି ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ନଗର ଉନ୍ନୟନ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଗାଡ଼ି ଚଳାଉଛନ୍ତି ସନ୍ଧ୍ୟାରାଣୀ ।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅଧୀନସ୍ଥ ଏଚ୍ଏମ୍ଭି ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଇଛନ୍ତି ସେ । ଶ୍ରୀମତୀ ପାଢ଼ୀ କହନ୍ତି, ଏହି ଯାତ୍ରା ମାଧ୍ୟମରେ ସେ ଏକ ସତ୍ୟ ଜାଣିବାକୁ ପାଇଛନ୍ତି ଯେ ପ୍ରତ୍ୟେକ ଡ୍ରାଇଭର ଯାତ୍ରୀଙ୍କ ଅପେକ୍ଷା ଅଧିକ ଦାୟିତ୍ୱବାନ, ନମ୍ର । ଖାଲି ସନ୍ଧ୍ୟାରାଣୀ ନୁହନ୍ତି, ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ଅଧୀନରେ ଆମ ବସ୍ ଏବଂ ଓଏସଆରଟିସି ଅନେକ ମହିଳାଙ୍କୁ କଣ୍ଡକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରତିବର୍ଷ ୫୦୦ ମହିଳା ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦେଇ ଅର୍ଥନୈତିକ ସ୍ୱାଧୀନତା ପ୍ରଦାନ କରିଛନ୍ତି । ଓଡିଶା ର ପ୍ରଥମ ମହିଳା ସରକାରୀ ଡ୍ରାଇଭର ସନ୍ଧ୍ୟା ରାଣୀ ମାଝୀ ଙ୍କୁ ଅଶେଷ ଅଭିନନ୍ଦନ ଜଣାଉଛି। ପରିବହନ ବିଭାଗ ର ଏ ଉଦ୍ୟମ ପ୍ରଶଂସନୀୟ। ମହିଳା ସଶକ୍ତିକରଣ ରେ ଏକ ନୂଆ ଫର୍ଦ ଯୋଡ଼ା ଗଲା।
ଓଡ଼ିଶାର ପ୍ରଥମ ମହିଳା ସରକାରୀ ଡ୍ରାଇଭର ସନ୍ଧ୍ୟାରାଣୀଙ୍କୁ ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରିବହନ ବିଭାଗର ଏହି ପଦକ୍ଷେପ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟିକା ଉପାସନା ମହାପାତ୍ର ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

