ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ତାଙ୍କୁ ଘନ ଘନ ଜେରା ପରେ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍। ଏବେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଚଳିତ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଚାଲିଥିବା ନିୟମ ବହିର୍ଭୂତ କାର୍ଯ୍ୟ ସାମନାକୁ ଆସିଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ବୋର୍ଡ ଉପସଭାପତି କିଭଳି କାର୍ଯ୍ୟ କରୁଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି। ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ। କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍‌ଟପ୍‌କୁ ଏଫ୍‌ଟିପି (ଫାଇଲ୍ ଟ୍ରାନ୍‌ସଫର୍ ପ୍ରୋଟକଲ୍) ମାଧ୍ୟମ ବଦଳରେ ଇ-ମେଲ୍‌ରେ ପ୍ରଶ୍ନପତ୍ର ଆସିଥିଲା। ଏଭଳି ସାଂଘାତିକ କାର୍ଯ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ସାମନାକୁ ଆସିଛି। କିନ୍ତୁ ବୋର୍ଡରେ ବହୁଦିନରୁ ଚାଲି ଆସିଥିବା ଏଭଳି ଅନିୟମିତତାକୁ ଉଚ୍ଚ କର୍ତ୍ତୃପକ୍ଷ ଚୁପଚାପ୍‌ ସହିବା ଘଟଣା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।

ବୋର୍ଡର ରେଗୁଲେସନ୍‌ ଚାପ୍ଟର-୧୧ ଉପଧାରା ୧୫ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନ ବିତରଣ ବୋର୍ଡ ସଂପାଦକଙ୍କ ଦାୟିତ୍ବ। କିନ୍ତୁ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କିପରି ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂପୃକ୍ତ ହେଲେ ଓ ତାଙ୍କ ବ୍ୟକ୍ତିଗତ ଲାପ୍‌ଟପ୍‌କୁ ପ୍ରଶ୍ନର ସଫଟ୍ କପି କାହିଁକି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ୩ ବର୍ଷ ତଳେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ସଂପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଆଣି ଉପସଭାପତିଙ୍କୁ ଦିଆଯାଇଥିଲା। କିନ୍ତୁ ବୋର୍ଡର ଡିଏଲ୍‌ଆର୍‌ କର୍ମଚାରୀ ଜିତନ ମହାରଣାଙ୍କୁ ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଗୋପନୀୟ କାର୍ଯ୍ୟରେ ନିୟୋଜିତ କରିବା ବି ବଡ଼ କେଳେଙ୍କାରୀର ପ୍ରମାଣ ଦେଉଛି।

ନିୟମ ଅନୁସାରେ, ମୁଦ୍ରଣ ସଂସ୍ଥା ପ୍ରଶ୍ନପତ୍ରର ସଫ୍ଟକପି ‌କୌଣସି ପରିସ୍ଥିତିରେ ପରୀକ୍ଷା ପୂର୍ବରୁ ବୋର୍ଡକୁ ପଠାନ୍ତି ନାହିଁ। ପରୀକ୍ଷା ପରେ ସମ୍ପାଦକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶ୍ନପତ୍ରର ସଫ୍ଟ କପି ଆସିଲେ, ତାହା ବୋର୍ଡ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇ ରୁହେ। ପୁଣି ନିର୍ଦ୍ଧାରିତ ଫର୍ମାଟ୍‌ରେ ପ୍ରସ୍ତୁତ ହାତଲେଖା ପ୍ରଶ୍ନପତ୍ର ମୁଦ୍ରଣ ସଂସ୍ଥାକୁ ଗୋପନୀୟ ଭାବେ ପଠାଯାଇଥାଏ। ମୁଦ୍ରଣ ସଂସ୍ଥା ତିନିଥର ପ୍ରୁଫ୍‌ ସଂଶୋଧନ ପାଇଁ ହାର୍ଡ କପିକୁ ସମ୍ପାଦକଙ୍କ ପାଖକୁ ପଠାଇଥାଆନ୍ତି। କିନ୍ତୁ ମୁଦ୍ରଣ ସଂସ୍ଥା ପ୍ରଶ୍ନପତ୍ରର ସଫ୍ଟ କପିକୁ ଏଫ୍‌ଟିପି (ଫାଇଲ୍ ଟ୍ରାନ୍‌ସଫର୍ ପ୍ରୋଟକଲ୍)ରେ ପଠାଇଥାଏ। ଉଭୟ ପ୍ରେରକ ଓ ପ୍ରାପକ ୟୁଜର୍‌ ନେମ୍ ଏବଂ ପାସ୍‌ଵାର୍ଡ ଜାଣିଥିଲେ ହିଁ ଏଫ୍‌ଟିପିରେ ଆସିଥିବା ଫାଇଲ୍ ଖୋଲିପାରିବ। ଏସ୍‌ଓପିରେ ଏ ପ୍ରକାର ବ୍ୟବସ୍ଥା ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଶ୍ରୀ ମହାନ୍ତିଙ୍କ ନିକଟକୁ ମୁଦ୍ରଣ ସଂସ୍ଥା କିନ୍ତୁ ଇ-ମେଲ୍‌ରେ ପ୍ରଶ୍ନପତ୍ର ପଠାଇଥିଲା।

କେଉଁ ପରିସ୍ଥିତିରେ ଓ କାହା ନି‌ର୍ଦ୍ଦେଶରେ ସଫ୍ଟକପି ବୋର୍ଡ ଉପସଭାପତିଙ୍କ ପାଖକୁ ଆସିଲା, ତାହା ତଦନ୍ତ ସାପେକ୍ଷ। ପୁଣି ପ୍ରଶ୍ନପତ୍ର ତିଆରି ପାଇଁ ବୋର୍ଡ ପ୍ୟାନେଲ୍‌ରେ ଥିବା ପ୍ରଶ୍ନକର୍ତ୍ତା ତାଲିକାରୁ ପ୍ରଶ୍ନକର୍ତ୍ତାଙ୍କୁ ଚୟନ କରାଯାଏ। କିନ୍ତୁ ସଂପ୍ରତି ଉପସଭାପତିଙ୍କ ଝିଆରୀ ଓ ଏକାଡେମିକ୍‌ ଅଫିସରଙ୍କ ପତ୍ନୀଙ୍କୁ ଉକ୍ତ ପ୍ରଶ୍ନକର୍ତ୍ତା ତାଲିକାରେ ରଖାଯାଇଛି। ଏହା ସଂପୂର୍ଣ୍ଣ ନିୟମ ବହିର୍ଭୂତ। ବୋର୍ଡ ନିୟମ ଅନୁସାରେ ଉପସଭାପତି କେବଳ ଶୈକ୍ଷିକ ଦାୟିତ୍ୱରେ ରହିବା କଥା। କିନ୍ତୁ ତାଙ୍କୁ ପରୀକ୍ଷା ବ୍ୟବସ୍ଥା କ’ଣ ପାଇଁ ଦିଆଯାଇଛି, ତାହାକୁ ନେଇ ସ‌ନ୍ଦେହ ବଢୁଛି। ଇତିମଧ୍ୟରେ ଜିତନ ମହାରଣା ସମେତ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ବୋର୍ଡ ଉପସଭାପତି ଶ୍ରୀ ମହାନ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଚାରି ଥର ଜେରା କରିସାରିଥିଲା।

Post Views30 Total Count

Apply Now


This will close in 0 seconds

error: Content is protected !!