୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’ ପ୍ରଦାନ

ଅଙ୍ଗଦାନଠାରୁ ମହତ କାର୍ଯ୍ୟ କିଛି ନାହିଁ। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୪ ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ପାଇଁ ପଞ୍ଜୀକୃତ କରାଯାଇଛି। ‘ସୂରଜ ପୁରସ୍କାର’ ରାଜ୍ୟବାସୀଙ୍କୁ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ବିଶ୍ବ ଅଙ୍ଗଦାନ ଦିବସରେ ମତ ପ୍ରକାଶ ପାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅଙ୍ଗଦାତାମାନେ ମୃତ୍ୟୁ ପରେ ସୁସ୍ଥ ଓ ମୂଲ୍ୟବାନ ଅଙ୍ଗ ଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଇ ଥିବାରୁ ଅଙ୍ଗଦାତା ଓ ତାଙ୍କ ପରିବାରର ମହାନତାକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଝାରସୁଗୁଡ଼ାର ରଶ୍ମୀପ୍ରଭା ପଟେଲ, ନୟାଗଡ଼ର ସିବୁନ ସିଦ୍ଧାର୍ଥ ସାହୁ, ଖୋର୍ଦ୍ଧାର ବିକାଶ କୁମାର ସାହୁ, କେନ୍ଦ୍ରାପଡ଼ାର ମନୋଜ କୁମାର ସାହୁ, ବାଲେଶ୍ୱର ଅଲେଖ ପ୍ରସାଦ ପରିଡ଼ା, କଟକର ପ୍ରହଲ୍ଲାଦ ରାଉତ, କେନ୍ଦୁଝରର ଲତା ମହାନ୍ତ, ସୁନ୍ଦରଗଡ଼ର ଜନ୍ମେଷ ଲେଙ୍କା, ଖୋର୍ଦ୍ଧାର ପ୍ରଦୀପ କୁମାର ଜେନା, ମୟୂରଭଞ୍ଜର ସ୍ୱଶ୍ରୀ ଆୟାନ ପାତ୍ର, ଅନୁଗୁଳର ବିଶ୍ୱଜିତ ଦାସ, ଖୋର୍ଦ୍ଧାର ଜୟନ୍ତ କୁମାର ଖମାରୀ, କେନ୍ଦ୍ରାପଡ଼ାର ଅଜୟ କୁମାର ଗିରି, କୋରାପୁଟର ଆଶିଷ ଛୁଆଳସିଂ, ରାୟଗଡ଼ାର ଚନ୍ଦ୍ରଶେଖର ନାୟକ, ଗଜପତିର ନରସିଂହ ପ୍ରସାଦ ମହାରଣା, ଗଜପତିର ପଣ୍ଡାଇ ଶବର, କେନ୍ଦ୍ରାପଡ଼ାର ଶରତ ଚନ୍ଦ୍ର ବିଶ୍ୱାଳ, ରାୟଗଡ଼ାର ପିଲାନ୍ତ ଶବର, ଗଜପତିର କେ. ନରେଶ ପଟ୍ଟନାୟକ, ଗଜପତିର ଅରୁଣ ଭୂୟାଁ , ଖୋର୍ଦ୍ଧାର ସୌମ୍ୟ ରଞ୍ଜନ ବେହେରା ଓ ରୀନା ପୃଷ୍ଟି, ଭଦ୍ରକର ଶିବ ପ୍ରସାଦ ଜେନାଙ୍କ ପରିବାରକୁ ‘ସୂରଜ ପୁରସ୍କାର’ ସହ ୫ ଲକ୍ଷ ଲେଖାଏ ସମ୍ମାନିତ ରାଶି ପ୍ରଦାନ କରାଯାଇଛି।

ଉଲ୍ଲେଖ ଯେ ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ନିଜ ମୃତ ପୁତ୍ରର ଅଙ୍ଗ ଦାନ ସହ ରାଜ୍ୟରେ ସ୍ୱେଚ୍ଛାକୃତ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିଥିଲେ। ସେମାନଙ୍କ ପ୍ରେରଣାଦାୟକ କାର୍ଯ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ଅଙ୍ଗଦାତାଙ୍କୁ ଓ ଅଙ୍ଗଦାନକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନଗୁଡ଼ିକୁ ପ୍ରତିବର୍ଷ ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ‘ସୂରଜ ପୁରସ୍କାର’ ପ୍ରଦାନ କରାଯାଉଛି। ହୃତପିଣ୍ଡ, ବୃକକ୍‌ ଓ ଯକୃତ ମଧ୍ୟରୁ କୌଣସି ଗୋଟିଏ କିମ୍ବା ଅଧିକ ଅଙ୍ଗଦାନ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ଏହାସହ ଅଙ୍ଗଦାନ କରିଥିବା ମୃତକ ଓ ସେମାନଙ୍କ ପରିବାରର ନିଃସ୍ୱାର୍ଥପର ଓ ବୀରତ୍ୱର ଅବଦାନକୁ ସମ୍ମାନ ଜଣାଇ ମୃତକଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍‌. , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ମହାନ୍ତି, ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ଅଙ୍ଗଦାତାମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପଶାସନ ସଚିବ ଅରୁଣା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Post Views30 Total Count

Apply Now


This will close in 0 seconds

error: Content is protected !!