ସୁସ୍ଥ ହୋଇ ନବୀନ ନିବାସ ଫେରିଲେ ବିରୋଧୀ ଦଳ ନେତା

ଡିହାଇଡ୍ରେସନ ଜନିତ ଅସୁସ୍ଥତା ପାଇଁ ଚିକିତ୍ସାଧୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି। ଗତକାଲି ସନ୍ଧ୍ୟାରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ନର୍ସମାନେ ନବୀନଙ୍କୁ ଫୁଲ ଦେଇ ସୁସ୍ବାସ୍ଥ୍ୟ କାମନା କରିଥିଲେ। କିଛି ନର୍ସ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥିଲେ। ଏହି ଅବସରରେ ତାଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମ୍‌କୁ ନବୀନ ଧନ୍ୟବାଦ ଜଣାଇଥିଲେ।

ଅନ୍ୟପକ୍ଷରେ ନବୀନ ହସ୍ପିଟାଲ୍‌ରେ ଥିବାବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌ ଯୋଗେ ତାଙ୍କ ସହ କଥାହୋଇ ସୁସ୍ବାସ୍ଥ୍ୟ ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ନବୀନଙ୍କ ସହ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ବାର୍ତ୍ତାଳାପ କରିବା ସହ ତାଙ୍କର ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କିଛିଦିନ ବିଶ୍ରାମ ନେବା ପରେ ଦିଲ୍ଲୀ ଯିବା ନିମନ୍ତେ ପ୍ରଧାନମନ୍ତ୍ରୀ ଏହି ଅବସରରେ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ। ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଧ୍ୟ ନବୀନଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦ୍ରୁତ ଆରୋଗ୍ୟ କାମନା କରିଥିଲେ।

ଅନ୍ୟପକ୍ଷରେ ଶୁଭକାମନା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ସଭାପତି ଖଡ୍‌ଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ ଦୁଇଟି ଭିନ୍ନ ଭିନ୍ନ ପୋଷ୍ଟରେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ଜୁନ ମାସରେ ମଧ୍ୟ ଯେତେବେଳେ ନବୀନ ନିଜର ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ କୋକିଳାବେନ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ, ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନବୀନଙ୍କ ଦ୍ରୁତ ଆରୋଗ୍ୟ କାମନା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ନବୀନଙ୍କ ଉତ୍ତମ ଯତ୍ନ ନେବାକୁ ସେତେବଳେ ପରାମର୍ଶ ଦେଇଥିଲେ।

ଗତ ୧୭ ତାରିଖରେ ଡିହାଇଡ୍ରେସନ କାରଣରୁ ନବୀନ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ତାଙ୍କୁ ସମ୍‌ ଅଲ୍ଟିମେଟରେ ଭର୍ତ୍ତି କରାଯାଇଥିଲା। ଏହାପରଠାରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାରେ ବ୍ୟାପକ ସୁଧାର ଆସିଥିବା ବେଳେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ନବୀନଙ୍କ ଅସୁସ୍ଥତା ଖବର ପାଇ ଜାତୀୟସ୍ତରର ବହୁ ବିଶିଷ୍ଟ ନେତା ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଅପରପକ୍ଷେ ଅସୁସ୍ଥତା ଖବର ପାଇ ହସ୍ପିଟାଲ୍‌ରେ ଭେଟିବାକୁ ପହଞ୍ଚିଥିବା ପିସିସି ସଭାପତି ଭକ୍ତ ଦାସ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଛନ୍ତି ନବୀନ।

Post Views14 Total Count

Apply Now


This will close in 0 seconds

error: Content is protected !!