ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ୨୦୨୫ର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା ଟି୨୦ ବିଶ୍ୱକପ୍ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ- ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ପ୍ରତିନିଧିତ୍ବ କରିଥିଲେ।

ଆଜି ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ, ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଥିଲେ। ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ପ୍ରେରଣା ହୋଇଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳୀମାନଙ୍କୁ ଉପଦେଶ ଦେଇଥିଲେ।

​​​​​​​ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଦଳର କୋଚ ଶ୍ରୀ ଦେବାଶିଷ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Post Views4 Total Count

Apply Now


This will close in 0 seconds

error: Content is protected !!