ଜଣେ IAS ଅଫିସର ତୃତୀୟ ଥର ପାଇଁ ବିବାହ କରିଥିବା ବେଳେ ତାଙ୍କର ତିନିଜଣଯାକ ସ୍ତ୍ରୀ, ବର୍ତ୍ତମାନର ଏବଂ ପୂର୍ବତନ ସମସ୍ତେ IAS ଅଫିସର ଅଟନ୍ତି।
ଅଭି ପ୍ରସାଦ ହେଉଛନ୍ତି ଉତ୍ତର ପ୍ରଦେଶର ସୀତାପୁର ଜିଲାର ନିବାସୀ। ୨୦୧୩ରେ ପ୍ରଥମେ IPS ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ୨୦୧୪ରେ UPSC ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୩ତମ ର୍ୟାଙ୍କ ହାସଲ କରି IAS ହୋଇଥିଲେ। ତାଙ୍କ ଜେଜେବାପା ତାମ୍ବେଶ୍ୱର ପ୍ରସାଦ (ବଚ୍ଚା ବାବୁ) ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ।
୨୦୧୪ ବ୍ୟାଚର IAS ଅଫିସର ଅଭି ପ୍ରସାଦ, ଗତ ଫେବୃଆରୀ ୧୧ ତାରିଖରେ କୁନୋ ନ୍ୟାସନାଲ ପାର୍କର ମନୋରମ ପରିବେଶରେ ୨୦୧୭ ବ୍ୟାଚର IAS ଅଫିସର ଅଙ୍କିତା ଧାକ୍ରେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଙ୍କିତା ବର୍ତ୍ତମାନ ରାଜ୍ୟ ପ୍ରଶାସନିକ ସେବା ମନ୍ତ୍ରଣାଳୟରେ ଉପ-ସଚିବ ଭାବେ କାର୍ଯ୍ୟରତ। ସୋସିଆଲ ମିଡିଆରେ ଏହି ବିବାହର ଫଟୋ ଭାଇରାଲ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି।
ଅଭିଙ୍କ ପ୍ରଥମ ପତ୍ନୀ ଋଜୁ ବାଫ୍ନା ମଧ୍ୟ ଜଣେ IAS ଅଫିସର ଥିଲେ। ଦିଲ୍ଲୀରେ ପ୍ରସ୍ତୁତି ସମୟରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା। ତେବେ ବିବାହର କିଛି ବର୍ଷ ପରେ ସେମାନଙ୍କର ବିଚ୍ଛେଦ ହୋଇଥିଲା। ବର୍ତ୍ତମାନ ଋଜୁ ଶାଜାପୁରର ଜିଲାପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି।
ପରେ ୨୦୧୬ ବ୍ୟାଚର IAS ଅଫିସର ମିଶା ସିଂଙ୍କ ସହ ସେ ଦ୍ୱିତୀୟ ବିବାହ କରିଥିଲେ। ମିଶା ନିଜର କ୍ୟାଡର ପରିବର୍ତ୍ତନ କରି ମଧ୍ୟପ୍ରଦେଶ ଆସିଥିଲେ। ପ୍ରାୟ ୪ ବର୍ଷର ବୈବାହିକ ଜୀବନ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ। ମିଶା ବର୍ତ୍ତମାନ ରତଲାମର ଜିଲାପାଳ ଅଛନ୍ତି।

