ବ୍ୟାଙ୍କ ଖାତାକୁ ଆସିଲା ସୁଭଦ୍ରା ଚତୁର୍ଥ କିସ୍ତି

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ପୂର୍ବଥର ଭଳି ଏଥର ବି ମହିଳା ଦିବସରେ ‘ସୁଭଦ୍ରା’ ଯୋଜନା ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ଜିଲ୍ଲା ତାଳବଣିଆ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଏମ୍ ମୋହନ ମାଝୀ ପହଞ୍ଚି ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରିଛନ୍ତି । ପ୍ରାୟ ୧​​​​​​​ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଲେଖାଏଁ ଟଙ୍କା ପଠାଯାଇଛି । ଏଥି ସହିତ ଚଳିତ ଥର ଦୁଇ ଲକ୍ଷରୁ ଅଧିକ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ରାଶି ପ୍ରଦାନ କରାଯାଇଛି । ​​​​​​​

​​​​​​​   ​​​​​​​ସୂଚନା ଅନୁଯାୟୀ, ଆଜି ପୁରୀର ତାଳବଣିଆଠାରେ ‘ସୁଭଦ୍ରା’ ଯୋଜନା ଅଧୀନରେ ରାଜ୍ୟସ୍ତରୀୟ ଚତୁର୍ଥ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ସମାବେଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ କାର୍ଯ୍ୟକ୍ରମ ଶୁଭରାମ୍ଭ କରିଛନ୍ତି । ସଭାସ୍ଥଳିରୁ ଓଡ଼ିଶାର  ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ବାଣ୍ଟିଛନ୍ତି। ଏଥିସହିତ ୨ ଲକ୍ଷ ୧୩ ହଜାର ୧୯୮ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିଛି ସୁଭଦ୍ରା କିସ୍ତି । ସେହିପରି ‘ସୁଭଦ୍ରା’ ଅଭିଯୋଗ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ଯୋଗ୍ୟ ମହିଳାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।

​​​​​ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗରେ ‘ସୁଭଦ୍ରା’ ଯୋଜନା ଆଜି ନାରୀଶକ୍ତିର ସ୍ୱପ୍ନକୁ ଏକ ନୂତନ ପରିଚୟ ଦେଇଛି। ଏହି ସହାୟତା ମାଧ୍ୟମରେ ଆମର ମହିଳାମାନେ ନିଜସ୍ୱ ବ୍ୟବସାୟ ଏବଂ ଦକ୍ଷତା ବିକାଶ ସହ ଜଡ଼ିତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି। କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଆତ୍ମବିଶ୍ୱାସ ବୃଦ୍ଧି କ୍ଷେତ୍ରରେ ‘ସୁଭଦ୍ରା’ ଯୋଜନା ଆଜି ପ୍ରତିଟି ଘରେ ସମୃଦ୍ଧିର ବାର୍ତ୍ତା ପହଞ୍ଚାଉଛି।

Post Views7 Total Count

Apply Now


This will close in 0 seconds

error: Content is protected !!