ଆଉ ବିଜ୍ଞାନ ଶିକ୍ଷାରେ ବାଧକ ନୁହେଁ ଭାଷା । ଏବେ ଓଡ଼ିଆ ଭାଷାରେ ପଢ଼ି ଡାକ୍ତର, ଇଞ୍ଜିନିୟର ହେବାର ସୃଷ୍ଟି ହୋଇଛି ସୁଯୋଗ । ଗାଁ ମାଟିର ପିଲାଙ୍କ ସ୍ବପ୍ନକୁ ମିଳିଲା ମାତୃଭାଷାର ଡେଣା । ୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆରମ୍ଭ । ପ୍ରଥମ ଥର ପାଇଁ ଚଳିତ ବର୍ଷରୁ +୨ ବିଜ୍ଞାନ ବହି ସମ୍ପୂର୍ଣ୍ଣ ଓଡ଼ିଆରେ ଉପଲବ୍ଧ ହେବ । ଏହାଦ୍ବାରା ପାଖାପାଖି ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଇନଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।
ଓଡ଼ିଶା ସରକାରଙ୍କ ଦ୍ବାରା ମୁଦ୍ରିତ ଏହି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତ ବହି ସମସ୍ତ ସରକାରୀ ଓ ବେସରକାରୀ କଲେଜରେ ଉପଲବ୍ଧ ହେବ । ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଏହାର ସିଧାସଳଖ ଲାଭ ନେବା ପାଇଁ ଅନୁରୋଧ କରାଯାଇଛି । ଏହା ପୂର୍ବରୁ ବିଜ୍ଞାନ ଛାତ୍ରଛାତ୍ରୀ କେବଳ ଇଂରାଜୀ ମାଧ୍ୟମରେ ପଢ଼ିବାକୁ ବାଧ୍ୟ ହେଉଥିଲେ । ସଂସ୍ଥାର ସମ୍ପାଦକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି କହିଛନ୍ତି ଯେ, ମାତୃଭାଷାରେ ବିଜ୍ଞାନ ପଢ଼ିଲେ ପିଲାଙ୍କ ବିଷୟବସ୍ତୁ ବୁଝିବା ସହଜ ହେବ ଏବଂ ସେମାନେ JEE, NEET ଭଳି ଜାତୀୟ ସ୍ତରର ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟକ୍ରମ ଅନୁଯାୟୀ ପ୍ରସ୍ତୁତ ହୋଇଛି ଏହି ବହି । ଓଡ଼ିଆ ମାଧ୍ୟମରେ ବିଜ୍ଞାନ ଶିକ୍ଷା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ।

