ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରେ ଏକ ଅତି ସ୍ତବ୍ଧକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୨୫ ବର୍ଷୀୟ ଜାତୀୟ ସ୍ତରର ଉଦୀୟମାନ ପାରା ଆଥଲେଟଙ୍କୁ ତାଙ୍କର ହିଁ ଜଣେ ସହ-ପ୍ରତିଯୋଗୀ ଗୁଳି କରି ହତ୍ୟା କରିଛନ୍ତି। ଚଳିତ ଅକ୍ଟୋବର ମାସରେ ଜାପାନଠାରେ ଅନୁଷ୍ଠିତ ହେବାକୁ ଥିବା ପାରା ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବାର ମାତ୍ର କିଛି ଦିନ ପରେ ଏହି ପ୍ରତିଭାବାନ ଖେଳାଳି ଚିରାଗ ତ୍ୟାଗୀଙ୍କୁ ହତ୍ୟା କରାଯାଇଛି।ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ ପଚରାଉରା ଜାରି ରହିଛି।
ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ଗତ ବୁଧବାର ସକାଳେ ଚିରାଗ ନିଜ ହଷ୍ଟେଲ୍ ଅଭିମୁଖେ ବାହାରିଥିଲେ, ମାତ୍ର ଦୀର୍ଘ ସମୟ ଧରି ତାଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇନଥିଲା। ଏଥିରେ ଚିନ୍ତିତ ହୋଇ ପରିବାର ପକ୍ଷରୁ ପୁଲିସ ନିକଟରେ ଏକ ନିଖୋଜ ଅଭିଯୋଗ ଦାୟର କରାଯାଇଥିଲା। ଶନିବାର ଅପରାହ୍ନରେ ଗାଜିଆବାଦର ସାଇ କୁଞ୍ଜ ଅଞ୍ଚଳରୁ ପୁଲିସ ଚିରାଗଙ୍କ ମୃତଦେହ ଉଦ୍ଧାର କରିଛି ଏବଂ ପ୍ରାଥମିକ ଯାଞ୍ଚରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଅନୁସନ୍ଧାନ କରି ଚିରାଗଙ୍କ ସହ ପ୍ରଶିକ୍ଷଣ ନେଉଥିବା ଅନ୍ୟ ଜଣେ ପାରା ଆଥଲେଟ୍ କୁ ଅଟକ ରଖି ପଚରାଉଚରା କରିବା ପରେ ଏହି ସାଘାତିକ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି।
ପୁଲିସ ପ୍ରଶାସନ ପକ୍ଷରୁ ଡିସିପି ଧବଳ ଜୈସୱାଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପଛରେ ”ପ୍ରଫେସନାଲ୍ ପ୍ରତିଶୋଧ” ବା ପୂର୍ବ ଶତ୍ରୁତା ରହିଥିଲା। ଉଭୟ ଚିରାଗ ଓ ୟଶ୍ ଆଥଲେଟିକ୍ସର ”ବ୍ଲାଇଣ୍ଡ୍” ବା ଅନ୍ଧ ବର୍ଗରେ ପରସ୍ପର ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପୂର୍ବରୁ ଚିରାଗ ୟଶର କେତେକ କାଗଜପତ୍ରର ସତ୍ୟାସତ୍ୟ ଯାଞ୍ଚ ପ୍ରକ୍ରିୟାକୁ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ, ଯେଉଁ କାରଣରୁ ୟଶ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲା। ଏହି ଆକ୍ରୋଶ ଓ ପ୍ରତିଶୋଧ ନିଆଁରେ ଜଳି ୟଶ୍ ଚିରାଗଙ୍କୁ ଏକ ନିଛାଟିଆ ସ୍ଥାନକୁ ଆଣି ତାଙ୍କ ପଛ ପଟୁ ପିସ୍ତଲରେ ଗୁଳି କରିଥିଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ୟଶକୁ ଗିରଫ କରି ତା’ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି। ହତ୍ୟାରେ ବ୍ୟବହୃତ ଉଦ୍ଧାର କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ, ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ସାମ୍ନାକୁ ଆସିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

