ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି ଶନିବାର ପୁରୀ ରେଳ ଷ୍ଟେସନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ଚାଲିଥିବା କାମର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରକଳ୍ପ ଶେଷ ହେଲେ ପୁରୀ ରେଳ ଷ୍ଟେସନ ଏକ ଆଧୁନିକ ଓ ଯାତ୍ରୀବନ୍ଧବ ପରିବହନ କେନ୍ଦ୍ରରେ ପରିଣତ ହେବ। ରଥଯାତ୍ରା-୨୦୨୭ ପୂର୍ବରୁ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟପାଳଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପର ବିଭିନ୍ନ ଅଂଶ ସମ୍ପର୍କରେ ଅବଗତ କରାଇଥିଲେ। ଷ୍ଟେସନର ନୂତନ ମୁଖ୍ୟ ପ୍ରବେଶଦ୍ୱାର, ଆକର୍ଷଣୀୟ ଫ୍ରଣ୍ଟ ଫାସାଡ୍, ୱେଟିଂ ଲାଉଞ୍ଜ, ଫୁଡ୍ କୋର୍ଟ, ଜନଆହାର କେନ୍ଦ୍ର, ଡର୍ମିଟୋରୀ, ରିଟାୟରିଂ ରୁମ୍, ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଓ ବ୍ୟାରିୟର-ଫ୍ରି ପ୍ରବେଶ-ପ୍ରସ୍ଥାନ ସୁବିଧା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ପରେ ଲୋକଭବନରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟପାଳ ପୁରୀ-କୋଣାର୍କ ରେଳ ସଂଯୋଗ ପ୍ରକଳ୍ପ ସମେତ ରେଳ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ରାଜ୍ୟପାଳ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୭ ପୂର୍ବରୁ ପୁରୀ ରେଳ ଷ୍ଟେସନ ଉନ୍ନୟନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଯାହାଦ୍ୱାରା ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଓ ଯାତ୍ରୀ ଆଧୁନିକ ସୁବିଧାର ଲାଭ ଉଠାଇପାରିବେ। କାର୍ଯ୍ୟର ନିୟମିତ ତଦାରଖ, ସାପ୍ତାହିକ ସମୀକ୍ଷା ଏବଂ ରେଳବାଇ ଓ ରାଜ୍ୟ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଆଧୁନିକ ରେଳ ଭିତ୍ତିଭୂମି ଓଡ଼ିଶାର ପର୍ଯ୍ୟଟନ, ସଂଯୋଗ ବ୍ୟବସ୍ଥା ଓ ଆର୍ଥିକ ବିକାଶକୁ ଆହୁରି ମଜବୁତ କରିବ ବୋଲି ସେ ମତ ଦେଇଥିଲେ।

