ଜଳାଭିଷେକ ନିମନ୍ତେ କାଉଡ଼ି ଯାତ୍ରା ପ୍ରସ୍ତୁତି ବୈଠକ

ଢେଙ୍କାନାଳର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ଚ଼ନ୍ଦ୍ରଶେଖର ଜୀଉ ବିଜେ ଓ ଜିଲାରେ ଥିବା ସମସ୍ତ ପ୍ରମୁଖ ଶୈବ ପୀଠରେ ଶ୍ରାବଣ ମାସରେ ଜଳାଭିଷେକ ନିମନ୍ତେ କାଉଡ଼ି ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ଅଧ୍ୟକ୍ଷତା କରି , ଜିଲାର ସମସ୍ତ ଶୈବପୀଠରେ ଶିବଭକ୍ତ ମାନେ ଯେପରି ଶାନ୍ତି ଶୃଙ୍ଖଳାର ସହିତ ସୁରକ୍ଷିତ ଭାବେ ଜଳାଭିଷେକ କରି ପାରିବେ ସେଥିପ୍ରତି ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ପୀଠକୁ ବିଶୋଧନ କରାଇବା, କପିଳାସ ପୀଠରେ ସର୍ପ ଧରାଳୀ ମୁତୟନ କରିବା, ପୀଠରେ ଓ ପାଦ ଦେଶରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା, ଗାଡ଼ି ପାର୍କିଂ ଓ ଶୌଚାଦି ବ୍ୟବସ୍ଥା ସହିତ ଆବଶ୍ୟକ ରାସ୍ତା ମରାମତି କରିବାକୁ କହିଛନ୍ତି । ଭକ୍ତମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ, ନଦୀବଢ଼ୀକୁ ଦୃଷ୍ଟିରେ ରଖି ନଦୀ ଘାଟରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍ ଟିମ ମୁତୟନ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପ୍ରକାଶ କରିଛନ୍ତି । ଶାନ୍ତି ଶୃଙ୍ଖଳା ଓ ଯାନବାହାନ ନିୟନ୍ତ୍ରଣ ନିମନ୍ତେ ପୋଲିସ ପେଟ୍ରୋଲିଂ କରାଯିବ ଏବଂ ବନ ବିଭାଗ ପକ୍ଷରୁ ହାତୀ ଚ଼ଳାଚ଼ଳ ପ୍ରତି ସତର୍କତା ଅବଲମ୍ବନ କରାଯିବ । ଶୃଙ୍ଖଳିତ ଜଳାଭିଷେକ ପାଇଁ ପ୍ରତ୍ୟେକ ରବିବାର ରାତିରୁ ସୋମବାର ସଂଧ୍ୟା ପର୍ଯ୍ୟନ୍ତ ଦେବୋତ୍ତର କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୩ ତାରିଖ ସୋମବାର ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ହେବାକୁ ଥିବା ଏହି କାଉଡ଼ି ଯାତ୍ରା ଅବସରରେ ଠାକୁରଙ୍କ ନୀତି ନିଯୋଗ, ସମସ୍ତ ପୀଠରେ ପାନୀୟ ଜଳ ଯୋଗାଣ, ମନ୍ଦିର ପ୍ରାଙ୍ଗଣ ଓ ପାହାଚ଼ ସଫେଇ-ରାସ୍ତାରେ ଅଲୋକ ବ୍ୟବସ୍ଥା ଆଦି ସଂପର୍କରେ ଦେବୋତ୍ତର ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଅବଗତ କରାଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ କର୍ମକର୍ତ୍ତା ଓ ପ୍ରମୂଖ ଶୈବପୀଠର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚ଼ନା କରିଥିଲେ । ଶେଷରେ ଦେବୋତ୍ତର ଅଧିକାରୀ ତଥା ଉପ-ଜିଲାପାଳ ଶ୍ରୀ ପଦ୍ମ ଚରଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!