ବାହୁଡ଼ାରେ ଭିଡ଼ ପରିଚାଳନାକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାକୁ ସମସ୍ତେ ଯତ୍ନବାନ ରୁହ। ଭିଡ଼ ପରିଚାଳନା, ଠିକ ସମୟରେ ସୂଚନା ପ୍ରଦାନ ସହ ଆଇନ ଶୃଙ୍ଖଳା ଓ ସୁରକ୍ଷାରେ କୌଣସି ପ୍ରକାର ସାଲିସ କରନି। ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମୀକ୍ଷାରେ ଅଧିକାରୀମାନଙ୍କୁ ଏମିତି ପରାମର୍ଶ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ। ଶ୍ରଦ୍ଧାଳୁମାନେ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ସେ ନିବେଦନ ମଧ୍ୟ କରିଛନ୍ତି।
ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ହେବାକୁ  ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ହୋଇଥିବା ଆଲୋଚନାରୁ ଜଣା ଯାଇଛି ଯେ, ରଥଯାତ୍ରା ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପ୍ରାୟତଃ ଠିକ୍ ଭାବରେ ପରିଚାଳିତ ହୋଇଛି। ଲଗାଣ ବର୍ଷା, ପ୍ରତିକୂଳ ପାଗ, ଗରମ ଓ ଗୁଳୁଗୁଳି ସତ୍ତ୍ବେ ଅଧିକାରୀ ଓ କର୍ମଚାରୀ ତଥା ଭକ୍ତମାନଙ୍କ ସେବା ଓ ସମର୍ପଣ କୌଣସି ମାତ୍ରାରେ ପ୍ରଭାବିତ ହୋଇନାହିଁ। ସେବାୟତମାନଙ୍କ ନିଷ୍ଠା ଓ ସମର୍ପଣ ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଟିମ୍ ସ୍ପିରିଟ ନେଇ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ପୁରୀ ସହରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହି ସମସ୍ତ ବ୍ୟବସ୍ଥାର ନିୟମିତ ପରିଚାଳନା ଓ ତଦାରଖ କରୁଛନ୍ତି। ପହଣ୍ଡି, ରଥଟଣା, ଦକ୍ଷିଣି ମୋଡ, ଆଡପ ମଣ୍ଡପ ଦର୍ଶନ, ପ୍ରତ୍ୟେକ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି। ବୈଠକରେ ଭିଡ ପରିଚାଳନା ଓ ନିରନ୍ତର ସୂଚନା ପ୍ରଦାନ ଉପରେ ଅଧିକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭିଡରେ ଜନଗହଳିକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,   CCTV ରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ଜରିଆରେ ସମସ୍ୟା ଥିବା ସ୍ଥାନକୁ ତୁରନ୍ତ ପ୍ରଦାନ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ।   ଆଗକୁ ବାହୁଡା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ। ତେଣୁ, ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!