ଏସିଆର ଅନ୍ୟତମ ପ୍ରତିଷ୍ଠିତ ସମ୍ମାନ ‘ ରମଣ ମେଗାସସ୍ ପୁରସ୍କାର ୨୦୨୬’ ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତ ବର୍ଷ ବାଂଲାଦେଶର ସାମାଜିକ କର୍ମୀ ତଥା ‘ ଫ୍ରେଣ୍ଡସିପ୍ ‘ NGOର ପ୍ରତିଷ୍ଠାତା ରୁନା ଖାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ବାଂଲାଦେଶର ଦୁର୍ଗମ ଓ ବନ୍ୟା ପ୍ରଭାବିତ ଅଞ୍ଚଳ, ଯେଉଁଠାକୁ ଯିବା ସାଧାରଣ ସମୟରେ ବି କଷ୍ଟକର, ସେହି ସବୁ ସ୍ଥାନରେ ସେ ସ୍ୱାସ୍ଥ୍ୟ, ଶିକ୍ଷା ଓ ରିଲିଫ୍ ସେବା ପହଞ୍ଚାଇବା ପାଇଁ ଏକ ଅନନ୍ୟ ପ୍ରୟାସ କରିଛନ୍ତି।
୧୭ ନଭେମ୍ବର ୧୯୫୮ ମସିହାରେ ବାଂଲାଦେଶରେ ଜନ୍ମିତ ରୁନା ଖାନ, ଢାକା ଓ କୋଲକାତାରୁ ଉଚ୍ଚଶିକ୍ଷା ହାସଲ କରିଛନ୍ତି। ଶିକ୍ଷାଦାନ, ପର୍ଯ୍ୟଟନ ଓ ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରରୁ କ୍ୟାରିୟର ଆରମ୍ଭ କରି ଥିଲେ ବି ରୁନା ଖାନ ପରବର୍ତ୍ତୀ ସମୟରେ ନିଜକୁ ସମାଜର ବଞ୍ଚିତ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ ।
୨୦୦୨ ମସିହାରେ ରୁନା ‘ଫ୍ରେଣ୍ଡସିପ୍’ NGO ପ୍ରତିଷ୍ଠା କରିଥିଲେ । ବାଂଲାଦେଶର ନଦୀ କୂଳିଆ ଓ ଉପକୂଳ ଅଞ୍ଚଳରେ ପ୍ରାୟତଃ ବନ୍ୟା ଯୋଗୁଁ ଅନେକ ଗାଁ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇଯାଏ। ଏହି ଦୁର୍ଗମ ସ୍ଥାନଗୁଡ଼ିକରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚାଇବା ଏକ ବଡ଼ ଆହ୍ୱାନ ଥିଲା, ଯାହାର ସମାଧାନ ରୁନା ଖାନ ବାହାର କରିଥିଲେ।ରୁନା ଖାନଙ୍କ ସବୁଠାରୁ ପ୍ରଶଂସନୀୟ ପଦକ୍ଷେପ ହେଉଛି ‘ଭାସମାନ ହସ୍ପିଟାଲ’ । ସେ ଏକ ପୁରୁଣା ଜାହାଜକୁ ହସ୍ପିଟାଲରେ ରୂପାନ୍ତରିତ କରି ନଦୀ ପଥରେ ଦୂରଦୂରାନ୍ତ ଅଞ୍ଚଳକୁ ପଠାଇବା ଆରମ୍ଭ କରି ଥିଲେ । ଏହି ଭାସମାନ ହସ୍ପିଟାଲରେ ଡାକ୍ତରୀ ଟିମ୍, ଅପରେସନ ଥିଏଟର, ଲାବୋରେଟରୀ ଓ ଆବଶ୍ୟକ ଔଷଧର ସୁବିଧା ରହିଛି ।
ଉଲ୍ଲେଖନୀୟ ଯେ, ରମଣ ମେଗାସସ ପୁରସ୍କାର (Ramon Magsaysay Award) ହେଉଛି ଏସିଆର ସର୍ବୋଚ୍ଚ ସମ୍ମାନ, ‘ଯାହାକୁ ଏସିଆର ନୋବେଲ ପୁରସ୍କାର’ ମଧ୍ୟ କୁହାଯାଏ । ଏହି ପୁରସ୍କାର ଫିଲିପାଇନ୍ସର ସପ୍ତମ ରାଷ୍ଟ୍ରପତି ରମଣ ମେଗାସସଙ୍କ ସ୍ମୃତିରେ ଏବଂ ତାଙ୍କର ପ୍ରଶାସନିକ ସ୍ୱଚ୍ଛତା, ସାହସିକ ଜନସେବା ଏବଂ ଆଦର୍ଶବାଦକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଇ ଥାଏ । ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ଭାରତୀୟ ବ୍ୟକ୍ତି ଓ ସଂଗଠନ ଏହି ସମ୍ମାନଜନକ ପୁରସ୍କାର ପାଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପ୍ରମୁଖ ହେଲେ – ବିନୋବା ଭାବେ (ଗୋଷ୍ଠୀ ନେତୃତ୍ୱ ପାଇଁ ୧୯୫୮ରେ ପୁରସ୍କୃତ), ମଦର ଟେରେସା ( ୧୯୬୨ରେ ଜନସେବା ପାଇଁ) , କିରଣ ବେଦୀ ( ୧୯୯୪ରେ ସରକାରୀ ସେବା) , ଅରବିନ୍ଦ କେଜ୍ରିୱାଲ , ୨୦୦୬ରେ ଉଦୀୟମାନ ନେତୃତ୍ୱ), ରବିଶ କୁମାର ୨୦୧୯ରେ ସାମ୍ବାଦିକତା ପାଇଁ , ଡକ୍ଟର ରବି କନ୍ନନ ୨୦୨୩ କର୍କଟ ରୋଗ ଚିକିତ୍ସା ଓ ଜନସେବା , ଏଡୁକେଟ୍ ଗାର୍ଲସ – ସଂଗଠନ -୨୦୨୫ ମସିହା ।

