ବେଳାଭୂମିରେ ଉଡ଼ିଲା ନାଲି ପତାକା, ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣା

ପୁରୀରେ ବଦଳିଲା ପାଣିପାଗ, ସମୁଦ୍ର ଅଶାନ୍ତ; ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣାପୁରୀ, ୨୨/୦୯: ବଦଳିଛି ପୁରୀର ପାଣିପାଗ। ରବିବାର ରାତିରୁ ଜିଲ୍ଲାରେ ହାଲୁକା ପବନ ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ହାରାହାରି ୧୪.୮୩ ମିମି ବର୍ଷା ରେକର୍ଡ ହୋଇଛି। ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର କୂଳ ଲଂଘୁଥିବା ଦେଖିବାକୁ ମିଳିଛି। ଫଳରେ ବେଳାଭୂମିରେ ରେଡ୍ ଫ୍ଲାଗ ଲଗାଲା ପୁରୀ ପ୍ରଶାସନ।

ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପର ପ୍ରଭାବରେ ପୁରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ବର୍ଷା ଓ ପବନ ନେଇ ସତର୍କତା ଜାରି ହୋଇଛି। ପାଣିପାଗକୁ ଦୃଷ୍ଟିରେ ରଖି ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି।
ସମୁଦ୍ର ଅଶାନ୍ତ ଥିବାରୁ ପୁରୀ ବେଳାଭୂମିର ବିଭିନ୍ନ ସ୍ଥାନରେ ନାଲି ପତାକା ଲଗାଯାଇଛି। ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଥିବା ବେଳେ ବେଳାଭୂମିର ବିଭିନ୍ନ ସେକ୍ଟରରେ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି। ଉଚ୍ଚ ଜୁଆରର ସମ୍ଭାବନା ଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ଭିତରକୁ ନଯିବା ପାଇଁ ଲାଇଫଗାର୍ଡମାନେ ସଚେତନ କରୁଛନ୍ତି।ଏଥିସହ ଜିରୋ ଡ୍ରାଉନିଂ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ରଖାଯାଇଛି। ଅନ୍ୟପଟେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିଛନ୍ତି। ଡଙ୍ଗା, ଜାଲ ଓ ମେସିନ୍ଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗ ସତର୍କ ସୂଚନା ମୁତାବକ, ୨୨ ତାରିଖ ଜିଲ୍ଲାକୁ ଅରେଜ ୱାର୍ଣ୍ଣିଂ ରହିଛି । ମାତ୍ର ୨୩ ତାରିଖରେ ରେଡ୍ ୱାର୍ଣ୍ଣିଂ ରହିଛି । ଏହି ଦୁଇଦିନ ପୁରୀକୁ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ ସୂଚନା ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ ବାରଣ କରାଯାଉଛି । ପ୍ରବଳ ବର୍ଷା ହେଲେ ଜିଲ୍ଲାରେ ଜଳବନ୍ଦୀ, ଫସଲର କ୍ଷତି ହେବାର ସମ୍ଭାବନା ରହିଛି । ହେଲେ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ନେଇ କୌଣସି ଘୋଷଣା ହୋଇନାହିଁ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!