ଚାଲିଗଲା ବାତ୍ୟା ଅର୍ଣ୍ଣବ, ଛାଡ଼ିଗଲା ବର୍ଷା ବିତ୍ପାତ। ବର୍ତ୍ତମାନ ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉବୁଟୁବୁ ହେଉଛି। ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ ଓ ଗଜପତିରେ ୨୦୦ରୁ ୪୦୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ। ଉଭୟ ଜିଲ୍ଲାର ୧ ହଜାର ଗାଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଜଳଘେରିରେ ରହିଛନ୍ତି।
ଆଜି (ଗୁରୁବାର) ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ସ୍ଥିତ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଏସଆରସି , ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବର୍ଷା ଜନିତ ବିତ୍ପାତର ସ୍ଥିତିର ସମୀକ୍ଷା କରିଛନ୍ତି।
ବୈଠକରୁ ମିଳିଥିବା ସୂଚନାନୁସାର, ବାତ୍ୟା ଅର୍ଣ୍ଣବ୍ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି l ଗଞ୍ଜାମ ଜିଲ୍ଲାର ପାତ୍ରପୁର ଠାରେ ୫୪୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜିଲ୍ଳାର ଜି ଉଦୟଗିରିଠାରେ ୪୬୨.୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲ୍ଲାର ଅନେକ ଅଞ୍ଚଳରେ ୨୦୦ ମିମିରୁ ଅଧିକ ଅର୍ଥାତ୍ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ଦୁଇ ଜିଲ୍ଲା ବ୍ୟତୀତ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ ଅଳ୍ପବହୁତ ପ୍ରଭାଵିତ ହୋଇଛି।
ଗଞ୍ଜାମ ଜିଲ୍ଲାରେ ୯୨୨ ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ (୨୨ଟି ବ୍ଲକରେ ୨୯୯ଟି ଗ୍ରାମ ପ୍ରଭାବିତ) ସହ ୪ଟି SRC ପାୱାର୍ ବୋଟ୍ ନିୟୋଜିତ ହୋଇଛି। ଉଦ୍ଧାରକାରୀ ବୋଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୫୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୩ଜଣ ସୁରକ୍ଷିତ ପ୍ରସବ କରିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୪୫ଓଡ୍ରାଫ୍ (ODRAF), ୭ଏନଡିଆରଏଫ୍ (NDRF), ୨୪ ଅଗ୍ନିଶମ ଦଳ (Fire Teams) ନିୟୋଜିତ ଥିବା ବେଳେ ୧୧୦ ସ୍ଥାୟୀ ଆଶ୍ରୟସ୍ଥଳୀ ସହ ଅନେକ ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା ସହିତ ପ୍ରାଥମିକ ପର୍ଯ୍ୟାୟରେ ଚୁଡ଼ା,ଗୁଡ଼ ଓ ପଲିଥିନ୍ ରୋଲ୍ ଵ୍ୟଵସ୍ଥା କରାଯାଇଛି।
ଗଜପତି ଜିଲ୍ଲାର ୭ଟି ବ୍ଲକରେ ୧୧୯ଟି ଗ୍ରାମ ସମ୍ବେଦନଶୀଳ ଥିବା ବେଳେ (୭୧୧ଟି ଗ୍ରାମ ପ୍ରଭାବିତ) ଗୋଟା ବ୍ୟାରେଜ୍, ବଡ଼ନାଳ ଏବଂ ଡ୍ରେନେଜ୍ ନିରୀକ୍ଷଣ କରାଯାଉଛି।ବଂଶଧାରାରେ ଜଳସ୍ତର ୫୨.୫ ମିଟର ; ଯାହା ବିପଦ ସଙ୍କେତ (୫୪.୧୦ ମିଟର) ଠାରୁ ବହୁତ କମ୍ ଅଛି । ୭ଟି ଉଦ୍ଧାରକାରୀ ବୋଟ୍ ନିୟୋଜିତ ଥିବା ବେଳେ ୪୨୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩୩ଜଣସୁରକ୍ଷିତ ସନ୍ତାନ ଜନ୍ମ ଦେଇଛନ୍ତି। ଗଜପତି ଜିଲ୍ଲାରେ ୧୨ ଓଡ୍ରାଫ୍, ୧ ଏନଡିଆରଏଫ୍ ଏବଂ ୧୨ ଅଗ୍ନିଶମ ଦଳ ପ୍ରସ୍ତୁତ ଥିବା ବେଳେ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀର ଵ୍ୟଵସ୍ଥା ସହ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।
ଭାରତୀୟ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରି ପ୍ରଭାବିତ ଅଞ୍ଚଳରେ ଯେଉଁଠି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଁଚିବା ସମ୍ଭବପର ହେଉ ନାହିଁ ସେଠାରେ ହେଲିକପ୍ଟର ଯୋଗେ ଜଳବନ୍ଦୀ ଜନସାଧାରଣଙ୍କ ସ୍ଥାନାନ୍ତରଣ ସୁନିଶ୍ଚିତ କରିବା ନିମନ୍ତେ ଵ୍ୟଵସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାର ବିପଦଜନକ ସ୍ଥାନରେ ଥିବା ପ୍ରଭାଵିତ ଜନସାଧାରଣଙ୍କୁ ପର୍ଯ୍ୟାୟକ୍ରମେ କୋଷ୍ଟଗାର୍ଡ଼ ହେଲିକପ୍ଟର ଯୋଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି।

