ମୃଦୁସ୍ୱନରେ ତାଙ୍କ ବଂଶୀର ସ୍ୱର ସମସ୍ତଙ୍କୁ ବିମୋହିତ କରେ। ତାଙ୍କ ସୁମଧୁର ବଂଶୀ ବାଜିଲେ ଚିତ୍ତ ଚୋରି ହୋଇଯାଏ । ବଂଶୀ ସହ ଅତୁଳନୀୟ ପ୍ରେମରେ ବନ୍ଧା ତାଙ୍କ ସମ୍ପର୍କ । ଅଫିସରେ ଥିଲାବେଳେ କଲମ ତାଙ୍କର ସାଥୀ ଆଉ ଅବସର ସମୟରେ ବଂଶୀ ସାଜେ ନାୟିକା ।
ତାଙ୍କ ବଇଁଶୀର ତାଳେ ତାଳେ ଝୁମନ୍ତି ଶ୍ରୋତା । ଓଡ଼ିଆ ଓ ହିନ୍ଦୀ ସଙ୍ଗୀତ ସହ ଭଜନକୁ ଅତି ସୁନ୍ଦର ଭାବେ ସେ ବଂଶୀ ସ୍ୱରରେ କରିଦିଅନ୍ତି ଉଜ୍ଜିବୀତ । ବଇଁଶୀର ସୁମଧୁର ତାଳରେ ମନ୍ତ୍ରମୁଗ୍ଧ କରୁଥିବା ଏହି କଳାକାର ହେଉଛନ୍ତି ବାରିପଦା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇ । କଳା ପ୍ରତି ରହିଥିବା ତାଙ୍କର ଅହେତୁକ ଭଲପାଇବା କେବେ ତାଙ୍କୁ କର୍ତ୍ତବ୍ୟରେ ଅବହେଳା କରିବାକୁ ଦେଇନି ।
ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୋତା, ଦର୍ଶକ ତାଙ୍କ ବେଣୁର ବାଦନ ଶୁଣିବାକୁ ଆକୁଳ ଭାବେ ରହିଥାନ୍ତି। ସୁର, ଲୟ, ତାଳ , ଛନ୍ଦ ସହ ବଂଶୀରେ ତାଙ୍କ ପରିବେଷଣ ପରିବେଶକୁ ମୋହନବଂଶୀରେ ବଶୀଭୂତ କରିରଖେ। ଅବସରରେ ସମୟରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଭାବେ ଯାଇ ତାଙ୍କ ଅନବଦ୍ୟ କଳା ପରିବେଷଣ କରିଥାନ୍ତି ସେ । ଓଡ଼ିଆ, ହିନ୍ଦୀ, ଭଜନ, ଗଜଲ ଓ ଅନେକ ନୂଆ ପୁରୁଣା ସୁପରହିଟ ସଙ୍ଗୀତକୁ ବଂଶୀ ଧୂନରେ ସଜାଇ ଦିଅନ୍ତି।
ତାଙ୍କ ମତରେ, ଆଜିର ବ୍ୟସ୍ତବହୁଳ ସମୟ ମଧ୍ୟରେ ନିଜ ଅବସାଦ, କ୍ଲାନ୍ତକୁ ଦୂରେଇବା ପାଇଁ ମାନସିକ ଶାନ୍ତି ପାଇବା ପାଇଁ ବଇଁଶୀର ସ୍ୱର ଆତ୍ମାକୁ ତୃପ୍ତ କରିଥାଏ । ତାହା ସହିତ ଆମ ସସ୍କୃତି ଓ କଳାକୁ ଉଜ୍ଜୀବିତ କରି ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ କୁହନ୍ତି। ପେଶାରେ ନିର୍ବାହୀ ଯନ୍ତ୍ରୀ, ନିଶାରେ ବଂଶୀର ଜଣେ ବେଶ ନିଆରା କଳାକାର। ସେ । କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ତାଙ୍କର ପ୍ରଶଂସା , ଗୁଣଗାନ । ମୋହନ ବଂଶୀରେ ମୋହିତ କରୁଥିବାରୁ ସଭିଁଙ୍କ ପ୍ରିୟ। କେବଳ ବଂଶୀ ବାଦକ ନୁହଁନ୍ତି, ବହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ। ନନ୍ଦଦୁଲାଲ ଏକାଧାରରେ ଜଣେ, ସଂଗୀତକାର, ସଂଗୀତ ନିର୍ଦ୍ଦେଶକ, ବାଦ୍ୟକାର। ଶତାଧିକ ସଂଗୀତକୁ ଦେଇଛନ୍ତି ନିଜ ବଂଶୀରେ ଜୀବନ୍ତ ସ୍ୱର । ଅନେକ ସମ୍ମାନରେ ସମ୍ମାନିତ। ଅନେକ ମଞ୍ଚରେ ପରିବେଷଣ କରିଥାନ୍ତି।

