ସେବାୟତଙ୍କ ବିବାଦ ପାଇଁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଦୁଇଦିନ ହେବ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି। ବିବାଦ ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ। ଆଜି ଆଇନମନ୍ତ୍ରୀଙ୍କ ଘରେ ବସିଥିବା ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ପୁଣି ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ବସିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମହାସୁଆର ନିଯୋଗ ଓ ବଡୁ ସେବାୟତ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ନେଇ ଆଜି ସକାଳେ ଆଇନ ମନ୍ତ୍ରୀଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଓ ଆଇନ ବିଭାଗ ସଚିବ ଉପସ୍ଥିତ ଥିଲେ। ହେଲେ ବୈଠକରେ ବ୍ରାହ୍ମଣ ନିଯୋଗ ଯୋଗ ଦେଇନଥିଲେ। ବୈଠକରେ କିଛି ଘଣ୍ଟା ଧରି ମାନସମନ୍ଥନ କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିଲା।

