ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ଏପ୍ରିଲ ୧୩ରେ ହେବ ପରବର୍ତୀ ଶୁଣାଣି । ମାନହାନି ମାମଲାରେ ସୁରଟ ସେଶନ କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅପିଲ୍କୁ ଗ୍ରହଣ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୁରଟ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି । ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରଟ କୋର୍ଟରେ ପହଂଚିଥିଲେ । ଏଥିସହ କଂଗ୍ରେସ ଶାସିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଗୁଜରାଟରେ ପହଂଚିଥିବା ଜଣାପଡିଛି ।
ରାହୁଲ ଗାନ୍ଧୀଙ୍କୁ ୨୦୧୯ ଲୋକସଭା ନିର୍ବାଚନ ସମୟରେ ମୋଦୀ ସାଙ୍ଗିଆ ବୟାନ ମାମଲାରେ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ ଗୁଜରାଟ ନିମ୍ନ ଅଦାଲତ । ଦଣ୍ଡାଦେଶ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଧ ହୋଇଥିଲା ।
ଯାହା ବିରୋଧରେ ରାହୁଲ ଗାନ୍ଧୀ ଗୁଜରାଟର ସୁରଟ ସେଶନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାହୁଲ ଗାନ୍ଧୀଙ୍କୁ ସୁରଟ ସେଶନ କୋର୍ଟ ୧୩ ଏପ୍ରିଲ୍ ପର୍ଯ୍ୟନ୍ତ ଜାମିନ୍ ଦେଇଛନ୍ତି । ମାମଲାର ଆସନ୍ତା ଶୁଣାଣି ସମୟରେ ତାଙ୍କର ଜାମିନ୍ ନେଇ ମଧ୍ୟ ନିଷ୍ପତି ହେବ ।

