ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ମିଳିବ କି ନାହିଁ, ତାହା ଏବେ ସୁପ୍ରିମ୍କୋର୍ଟଙ୍କ ବିଚାରାଧୀନ ରହିଛି। କିନ୍ତୁ କେନ୍ଦ୍ରକୁ ଆସିଥିବା ୭ ରାଜ୍ୟଙ୍କ ମତାମତ ମଧ୍ୟରୁ ରାଜସ୍ଥାନ, ଆସାମ ଓ ଆନ୍ଧ୍ରପ୍ରଦେଶ ସମଲିଙ୍ଗୀ ବିବାହ ପ୍ରସ୍ତାବକୁ ବିରୋଧ କରିଥିଲା ବେଳେ ସିକ୍କିମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ମଣିପୁର ଏହା ଉପରେ ଅଧିକ ସମୟ ଲୋଡ଼ିଛନ୍ତି। ଦୀର୍ଘ ସମୟର ଆଲୋଚନା ଓ ବିତର୍କ ଚାଲିବା ପରେ କୋର୍ଟ ଶୁଣାଣୀ ଶେଷ କରିଥିଲେ ମଧ୍ୟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। କିନ୍ତୁ ସମଲିଙ୍ଗୀ ବିବାହକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ସୁପ୍ରିମକୋର୍ଟଙ୍କଠୁ ଆଶା ହରାଇନାହାନ୍ତି। ଭାରତର ପ୍ରଥମ ସମଲିଙ୍ଗୀ ଧାବିକା ତଥା ଅଲମ୍ପିଆନ୍ ଦୂତି ଚାନ୍ଦ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲା ବେଳେ କୋର୍ଟଙ୍କ ରାୟ ଆସିବା ପରେ ସାଥୀ ମୋନାଲିସାଙ୍କୁ ବିବାହ କରିବା ପାଇଁ ସେ ବ୍ୟଗ୍ରତାର ସହ ଚାହିଁ ବସିଛନ୍ତି। କେବଳ ବିବାହ ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଆଇଭିଏଫ୍ ଭଳି ଚିକିତ୍ସା ପଦ୍ଧତିର ସହାୟତା ନେବାକୁ ସେ ଆଗ୍ରହ ରଖିଛନ୍ତି। ଜଣାଶୁଣା ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ପ୍ରଛଦରେ ସ୍ଥାନ ପାଇବା ପରେ ଦୂତି-ମୋନାଲିସାଙ୍କ ବିବାହ ଚର୍ଚ୍ଚା ପୁଣି ଭାଇରାଲ୍ ହୋଇଛି। ପ୍ରଛଦ ପୃଷ୍ଠାରେ ମୋନାଲିସାଙ୍କ ମଥାରେ ଦୂତି ସିନ୍ଦୂର ଲଗାଉଥିବାରୁ ଫଟୋ ସ୍ଥାନ ପାଇଛି। ଏଥି ସହିତ ଉଭୟଙ୍କ ଅନେକ ଅନ୍ତରଙ୍ଗ ମୁହୂର୍ତର ଫଟୋ ମଧ୍ୟ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଓ ନିନ୍ଦୁକମାନଙ୍କୁ ମତ ରଖିବାର ସୁଯୋଗ ଦେଇଛି। ଏହି ଅବସରରେ ଦୂତି ‘ସମ୍ବାଦ’ ସହ କଥା ହେବାବେଳେ ମଧ୍ୟ ନିଜ ସ୍ପଷ୍ଟ ମତ ରଖିଛନ୍ତି।

