ସ୍ପଷ୍ଟବାଦୀ ନେତା:ସାରଦା

ଓଡ଼ିଶା ରାଜନୀତିରେ ନେତା ତ ଅନେକ ହେଲେ ଲୋକଙ୍କ ହୃଦୟରେ ବାସ କରୁଥିବା ଜନପ୍ରିୟ ନେତାଙ୍କ ସଂଖ୍ୟା ହାତ ଗଣତି । ଜନତାଙ୍କ ପାଇଁ ସମର୍ପିତ, ସେବା ସମର୍ପଣରେ ଦୀକ୍ଷିତ ନେତାଙ୍କ ସଂଖ୍ୟା ଖୁବ କମ । ଅଳ୍ପ ସମୟରେ ହଜାରହଜାର ଲୋକଙ୍କ ଭଲପାଇବା ସାଉଁଟିବା, ସେମାନଙ୍କର ବିଶ୍ବାସ ଭରସା ଜିତିବା ଖୁବ ନେତାଙ୍କ ଭାଗ୍ୟରେ ଲେଖାଥାଏ । ଠିକ ଏମିତି ଜଣେ ଜନପ୍ରିୟ, ଜନାଦୃତ ଆଉ ଲୋକଙ୍କ ହୃଦୟର ନେତା ସାରଦା ପ୍ରସାଦ ନାୟକ ।
ଓଡ଼ିଶା ରାଜନୀତିର ଚିହ୍ନା ମୁହଁ, ପଶ୍ଚିମ ଓଡ଼ିଶାର ପରିଚୟ ଏବଂ ରାଉରକେଲାର ଲୋକପ୍ରିୟ ବିଧାୟକ ତଥା ସଦ୍ୟ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଅଭିଜ୍ଞ ରାଜନେତା ସାରଦା ପ୍ରସାଦ ନାୟକ । ସୁନ୍ଦରଗଡ଼ବାସୀଙ୍କ ପାଇଁ ସମର୍ପିତ ଜଣେ ରାଜନେତା । ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ କରି ତାଙ୍କୁ ଶ୍ରମ ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କାହିଁକି ଓଡ଼ିଶା ରାଜନୀତିରେ ପରିଚିତ ଶାରଦା ? କେମିତି ସେ ପାଲଟିଗଲେ ରାଉରକେଲାବାସୀଙ୍କର ଅତି ଆପଣାର ? ଏ ପ୍ରଶ୍ନର ଉତ୍ତର ଖୋଜିଲେ କେବଳ ଗୋଟିଏ କଥା ସାମ୍ନାକୁ ଆସେ, ତାହାହେଲା ଜନତାଙ୍କ ସେବା ପାଇଁ ସାରଦାଙ୍କ ସମର୍ପିତ ଭାବ । କେବଳ ରାଉରେକେଲା ନୁହେଁ ସମଗ୍ର ସୁନ୍ଦରଗଡ଼ର ସମୃଦ୍ଧି ପାଇଁ ସେ ସଂକଳ୍ପବଦ୍ଧ । ନୂଆ ରାଉରକେଲାର ନକ୍ସା ଆଙ୍କି ଲୋକଙ୍କର ନିକଟତର ହୋଇଥିଲେ ସାରଦା । ୨୦୦୪ ମସିହାରେ ପ୍ରଥମେ ସାରଦାଙ୍କୁ ସୁଯୋଗ ଦେଇଥିଲେ ରାଉରକେଲାବାସୀ । ଜନତାଙ୍କର ଅକୁଣ୍ଠ ସମର୍ଥନ ଓ ଭଲପାଇବା ବଳରେ ବିଜୁ ଜନତା ଦଳର ଟିକେଟରେ ପ୍ରଥମ କରି ବିଧାୟକ ହୋଇଥିଲେ ସାରଦା ପ୍ରସାଦ ନାୟକ । ସାରଦାଙ୍କ ନେତ୍ବତ୍ବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ରାଉରକେଲାରେ ଆରମ୍ଭ ହୋଇଥିଲା ବିକାଶର ନୂଆ ଅଧ୍ୟାୟ । ଲୋକଙ୍କର ପାଖେ ପାଖେ ରହି ସମସ୍ୟା ଶୁଣିବା ସହିତ ମୌଳିକ ସୁବିଧା ଯୋଗାଇ ଦେଇଥିଲେ ବିଧାୟକ । ବିଧାନସଭାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ରାଉରକେଲାର ଭାଗ୍ୟ ବଦଳାଇବାରେ ସାଜିଥିଲେ ପ୍ରମୁଖ ବିନ୍ଧାଣୀ ।
୫ବର୍ଷର ବିକାଶ ଏବଂ ଲୋକଙ୍କର ସ୍ବର ସାଜି ପୁଣିଥରେ ଜନତାଙ୍କ ଭରସା ଜିତିଥିଲେ ସାରଦା । ଲଗାତାର ଦ୍ବିତୀୟ ଥର ପାଇଁ ୨୦୦୯ ମସିହାରେ ବିଜେଡି ଟିକେଟରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସାରଦାଙ୍କ ଦକ୍ଷତା ଉପରେ ଭରସା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସେ ସାମିଲ ହୋଇଥିଲେ । ୨୦୦୯ରୁ ୨୦୧୧ ଯାଏ ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ । ୨୦୧୧ରୁ ୨୦୧୨ ଯାଏ ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ୨୦୧୨ ଫେବୃଆରୀରୁ ଜୁନ୍ ଯାଏ ୪ ମାସପାଇଁ ଅବକାରୀ ମନ୍ତ୍ରୀ ଭାବେ ସଫଳତାର ସହିତ ଦାୟିତ୍ବ ସମ୍ପାଦନା କରିଥିଲେ
ତେବେ ୨୦୧୪ ମସିହାରେ ବଦଳିଥିଲା ରାଉରକେଲା ରାଜନୀତିର ଚିତ୍ରପଟ୍ଟ । ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କଠାରୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ସାରଦା । ଦିଲ୍ଲୀପ ରାୟଙ୍କୁ ରାଉରକେଲାବାସୀ ସୁଯୋଗ ସିନା ଦେଲେ, ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କୁ ପସ୍ତାଇବାକୁ ପଡ଼ିଲା । ତୃଣମୂଳସ୍ତରରେ ବିଧାୟକଙ୍କ ନପାଇବା, ଲୋକଙ୍କ ସହିତ ନମିଶିବା ଏବଂ ବିକାଶ କାର୍ଯ୍ୟକୁ ଠପ କରିବା କାରଣରୁ ଦିଲ୍ଲୀପଙ୍କ ପାଖରୁ ମୁହଁ ଫେରାଇଥିଲେ ରାଉରକେଲାବାସୀ । ସେପଟେ ପରାଜୟର ସ୍ବାଦ ଚାଖି ମଧ୍ୟ ଜନସେବାକୁ ଭୁଲିନଥିଲେ କି ଜନତାଙ୍କଠାରୁ ଦୁରେଇନଥିଲେ ସାରଦା ପ୍ରସାଦ । ଲୋକଙ୍କ ପାଖେ ପାଖେ ରହି ସମସ୍ୟା ଶୁଣିଥିଲେ ଏବଂ ସୁଖଦୁଃଖରେ ଭାଗୀଦାର ସାଜୁଥିଲେ ସାରଦା । ଯେଉଁଥିପାଇଁ ପୁଣିଥରେ ୨୦୧୯ ମସିହାରେ ନିଜ ପ୍ରିୟ ନେତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ ରାଉରକେଲାବାସୀ ।
୨୦୧୯ ସାଧାରଣ ନିର୍ବାଚନ ପରେ ପରେ ମାଡିଆସିଥିଲା କରୋନା ଭୟ । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ବିଶ୍ବବାସୀ । ରାଉରକେଲାରେ ମଧ୍ୟ ଖେଳିଯାଇଥିଲା ଆତଙ୍କ । ଏହି ସମୟର ଲୋକଙ୍କ ସହିତ ଛାଇ ଭଳି ରହିଥିଲେ ସାରଦା ପ୍ରସାଦ । କିଭଳି ରାଉରକେଲାବାସୀ ଉନ୍ନତ ଚିକିତ୍ସା ପାଇବେ ସେନେଇ ନିଜେ ଅନୁଧ୍ୟାନ କରୁଥିଲେ । ବୁଲିବୁଲି ଭୋକ ଉପାସରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇଥିଲେ । ଏଭଳି ସେବା ମନୋଭାବ ତାଙ୍କୁ ବନାଇଦେଇଥିଲା ଇସ୍ପାତ ନଗରୀର ଅତିପ୍ରିୟ ନେତା ।
ସାରଦାଙ୍କ ଉଦ୍ୟମରେ ସମୃଦ୍ଧିର ଶିଖର ଛୁଇଁଛି ରାଉରକେଲା । ତାଙ୍କ ପ୍ରଚେଷ୍ଟାରେ ଆଜି ରାଉରକେଲାକୁ ବିଶ୍ବରେ ମିଳିଛି ସ୍ବତନ୍ତ୍ର ପରିଚୟ । ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ପଛରେ ତାଙ୍କର ରହିଛି ପ୍ରମୁଖ ଭୂମିକା । ଏଥିପାଇଁ ଦିନ ରାତି ଏକ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର ରୂପ ଦେବାରେ ତାଙ୍କ ଅବଦାନ ଅତୁଳନୀୟ । ଏହାଛଡ଼ା ହକି ବିଶ୍ବକପର ସଫଳ ଆୟୋଜନ ପଛରେ ରହିଛି ସାରଦାଙ୍କ ଅଶେଷ ଅବଦାନ । ସହରର ରୂପରେଖ ବଦଳାଇବା ସହ ଏହାକୁ ବିଶ୍ବର ଏକ ପ୍ରମୁଖ ଓ ଆକର୍ଷଣୀୟ ସିଟି ବନାଇବାରେ ସେ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । ଜିଲ୍ଲାରେ ହକି ଖେଳର ବିକାଶ ସହିତ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ହୋଇପାରିବା ତାଙ୍କ କାର୍ଯ୍ୟଦକ୍ଷତାଙ୍କୁ ପ୍ରମାଣ କରିଛି । ରାଉରକେଲା ବିମାନବନ୍ଦର ମଧ୍ୟ ତାଙ୍କ ସଫଳତାର ଅନନ୍ୟ ନିଦର୍ଶନ । ସାରଦାଙ୍କ ନେତୃତ୍ବରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ରାଉରକେଲା ଦେଶରେ ରୋଲ ମଡେଲ ପାଲଟିଛି । ପଶ୍ଚିମ ଓଡ଼ିଶା ରାଜନୀତିରେ ବେଶ୍ ଗୁରୁତ୍ବବହନ କରୁଛନ୍ତି ସାରଦା । ବ୍ରଜରାଜନଗର ଓ ଝାରସୁଗୁଡ଼ା ଉପନିର୍ବାଚନରେ ତାଙ୍କ ସାଂଗଠନିକ ଦକ୍ଷତା ପ୍ରତିପାଦିତ ହୋଇଛି । ବିଜେଡି ଦେଇଥିବା ଦାୟିତ୍ବକୁ ସୁଚାରୁରୂପେ ନିଭାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସାରଦା ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା । ଯେଉଁଥିପାଇଁ ଆଗକୁ ମଧ୍ୟ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବ ।
ରାଜନୀତି ନୁହେଁ ସେବାନୀତି । ବିଜୁ ଜନତା ଦଳର ଏହି ନାରାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ସାରଦା ପ୍ରସାଦ ନାୟକ । ରାଉରକେଲାର ଉନ୍ନତି ପାଇଁ ସ୍ବପ୍ନ ଦେଖୁଛନ୍ତି ଆଉ ତାକୁ ସାକାର କରିବାକୁ ପଦକ୍ଷେପ ବି ନେଉଛନ୍ତି । ଯେଉଁଥିପାଇଁ ସେ ସାଜିଛନ୍ତି ରାଉରକେଲାବାସୀଙ୍କ ହୃଦୟର ନେତା । ସଭିଙ୍କ ଆପଣାର ସାରଦା ଭାଇ । ତାଙ୍କ ପ୍ରତି ରହିଥବା ଜନସମର୍ଥନ ଓ ରାଉରକେଲାର ବିକାଶ ଗୋଟିଏ କଥା ପ୍ରତିପାଦିତ କରୁଛି, ଆସନ୍ତା ସାଧାରଣ ନିର୍ବାଚନରେ ସାରଦାଙ୍କୁ ପୁଣି ଥରେ ନିର୍ବାଚିତ କରି ଚତୁର୍ଥ ଥର ପାଇଁ ବିଧାନସଭା ପଠାଇବାକୁ ଜନସାଧାରଣ ମନସ୍ଥ କରିସାରିଛନ୍ତି ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!