ଜଣେ ଚାହିଁଲେ କେତେ ସମୟ ନାଚିପାରିବ। କିଛି ଘଣ୍ଟା। କିନ୍ତୁ ୧୦୦ରୁ ଅଧିକ ଘଣ୍ଟା ଧରି ନାଚିଛନ୍ତି ଜଣେ ୧୬ବର୍ଷର ଛାତ୍ରୀ। ୫ଦିନ ଧରି ତାଙ୍କ ମାରାଥନ ଡ୍ୟାନ୍ସ ପାଇଁ ସେ ଚର୍ଚ୍ଚାରେ। ୧୨୭ ଘଣ୍ଟା ଧରି ନାଚି ରେକର୍ଡ କରିଛନ୍ତି ସୃଷ୍ଟି ସୁଧିର ଜଗତପ। ୧୬ ବର୍ଷୀୟ ସୃଷ୍ଟି ପଶ୍ଚିମ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ବାସିନ୍ଦା। ସେ ଜଣେ ପ୍ରଫେସନାଲ କଥକ ନୃତ୍ୟଶିଳ୍ପୀ। ଯୋଗ ନିଦ୍ରା କିମ୍ବା ‘ୟୋଗିକ ସ୍ଲିପ୍ ‘ ପାଇଁ ସେ ଦୀର୍ଘ ଘଣ୍ଟା ଧରି ନୃତ୍ୟ ପ୍ରଦର୍ଶନ କରିବାରେ ସଫଳ ହୋଇଥିବା କହିଛନ୍ତି।
ସୃଷ୍ଟି ଙ୍କ ଏହି ରେକର୍ଡ ୨୦୧୮ ରେ ନେପାଳର ନୃତ୍ୟଶିଳ୍ପୀ ବନ୍ଦନାଙ୍କ ୧୨୬ ଘଣ୍ଟା ନାତିବା ରେକର୍ଡକୁ କାଟିଦେଇଛି। ସୃଷ୍ଟି ଯେ କେବଳ ରେକର୍ଡ ଭାଙ୍ଗିନାହାନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ସୃଷ୍ଟିଙ୍କ ନୃତ୍ୟ ପ୍ରଦର୍ଶନ କଲେଜ ଅଡିଟୋରିଅମରେ ହୋଇଥିଲା। ଯେଉଁଠାରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କ ନୃତ୍ୟ ଉପଭୋଗ କରିଥିଲେ। ଗିନିସ ୱାର୍ଲଡ ରେକର୍ଡ ଟିମ୍ ସଦସ୍ୟଙ୍କ କହିବା ଅନୁଯାୟୀ, ସୃଷ୍ଟି ମଝି ମଝିରେ କ୍ଲାନ୍ତ ହୋଇଯାଉଥିଲେ କିନ୍ତୁ ତାଙ୍କ ମାଆ ବାପା ତାଙ୍କ ମୁହଁରେ ପାଣି ଛିଞ୍ଚୁଥିଲେ ଯାହାଦ୍ବାରା ସେ ପୁଣି ନାତିବାରେ ସମର୍ଥ ହୋଇପାରୁଥିଲେ।
ସୃଷ୍ଟି କହିଛନ୍ତି ଯେ ସେ ଏହି ରେକର୍ଡ ସୃଷ୍ଟି କରିବାକୁ ଚାହୁଁଥିଲେ, ନୃତ୍ୟ ମାଧ୍ୟମରେ ସେ ଭାରତୀୟ କଳାକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଚାହାନ୍ତି। ନୃତ୍ୟ ମାଧ୍ୟମରେ ସେ ବିଦେଶରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଚାହାନ୍ତି। ସେ କହିଥିଲେ ଯେ ମୁଁ ଆମର ଭାରତୀୟ ସଂସ୍କୃତିକୁ ବେଶ୍ ଭଲ ପାଏ। ନାତିବା ସମୟରେ ନିଜ ଶକ୍ତି ବଞ୍ଚାଇ ରଖିବା ପାଇଁ ନଡ଼ିଆ ପାଣି ପିଉଥିଲେ ଏବଂ ଚକୋଲେଟ୍ ମଧ୍ୟ ଖାଉଥିଲେ |

