ବର୍ଷ ଶେଷ ସୁଦ୍ଧା ଖୋଲିବ ୧୧ ନୂଆ କ୍ୟାନସର୍ ହସ୍ପିଟାଲ୍

ଭୁବନେଶ୍ବରରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି), ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସଂଘ (ଏଏଚ୍ପିଆଇ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଥ ସ୍ବାସ୍ଥ୍ୟ ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଗର୍ଗ କହିଛନ୍ତି ଯେ ଗତ ୨୦ ବର୍ଷ ଭିତରେ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ସ୍ବାସ୍ଥ୍ୟ ବଜେଟ୍ ୫୫୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୫ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି।

ରାଜ୍ୟରେ ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାର ସାରା ଦେଶରେ ଅନ୍ୟତମ ସର୍ବାଧିକ ହ୍ରାସ ଘଟିଛି। ରାଜ୍ୟର ଟିକାକରଣ ହାର ୯୪.୫ ପ୍ରତିଶତ ରହିଛି ଯାହା ଅନ୍ୟତମ ସର୍ବାଧିକ। ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ୯୨.୨ ପ୍ରତିଶତ ରହିଛି। ମାଲେରିଆ ଓ ଯକ୍ଷ୍ମା ମାମଲାରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି। କ୍ୟାସନର୍ ଚିକିତ୍ସାକୁ ସରକାର ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ୭୫୦ ଶଯ୍ୟା ବିଶିଷ୍ଟ ବାଗ୍ଚୀ ଶଙ୍କର କ୍ୟାନସର ହସ୍ପିଟାଲ୍ ନିର୍ମାଣ କରାଯାଉଥିବା ବେଳେ ଆଉ ୧୧ଟି କ୍ୟାନସର୍ ହସ୍ପିଟାଲ୍ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ୨୦୨୧ର ଏକ ରିପୋର୍ଟ ଅନୁସାରେ ଏମ୍ବିବିଏସ୍ ଡାକ୍ତର ଓ ପିଜି ଡାକ୍ତରଙ୍କ ମଧ୍ୟରେ ଏକ ବଡ଼ ଧରଣର ଅନ୍ତର ରହିଛି। ଏମ୍ବିବିଏସ୍ ଡାକ୍ତର ସଂଖ୍ୟା ୬୦-୭୦ ହଜାର ରହୁଥିବା ବେଳେ ପିଜି ଡାକ୍ତରଙ୍କ ସଂଖ୍ୟା ୩୪ ହଜାର ପାଖାପାଖି ରହୁଛି। ଏହି ଅନ୍ତର କିଭଳି ଦୂର ହେବ ସେନେଇ ମାନସମନ୍ଥନ ହେବା ଦରକାର। ଏଥି ସହିତ ଗ୍ରାମାଞ୍ଚଳରେ କିଭଳି ଗୁଣାତ୍ମକ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରାଯାଇପାରିବ ତାହା ଉପରେ ଗୁରୁତ୍ବ ପ୍ରଦାନ କରିବାର ଆବଶ୍ୟକତା ରହିଛି। ମୌଳିକ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଲେ ଅନେକ ରୋଗର ସଠିକ୍ ସମୟରେ ନିରାକରଣ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଅବସରରେ କଳିଙ୍ଗ ହସ୍ପିଟାଲ୍ର ପରିଚାଳନା ନିର୍ଦ୍ଦେଶକା ତଥା ଆଇସିସିର ଆବାହକ ନୀଲାଞ୍ଜନା ମୁଖାର୍ଜୀ ଯୋଗଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଓ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ପାଉଥିବା କହିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସିଙ୍ଗଲ ଵିଣ୍ଡୋ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!