ଆହ୍ଲାବାଦ ଓ ଫୈଜାବାଦ ପରେ ଉତ୍ତରପ୍ରଦେଶର ଅନ୍ୟ ଏକ ପ୍ରମୁଖ ସହରର ନାମ ଶୀଘ୍ର ବଦଳିଯିବ। ଆଲିଗଡକୁ ହରିଗଡରେ ପରିଣତ କରିବା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଆଲିଗଡ ମ୍ୟୁନିସିପାଲିଟି କର୍ପୋରେସନ ସର୍ବସମ୍ମତି କ୍ରମେ ସହରର ନାମ ହରିଗଡରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି। ଆଲିଗଡକୁ ହରିଗଡରେ ପରିଣତ କରିବାକୁ ମେୟର ପ୍ରଶାନ୍ତ ସିଙ୍ଗଲ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଏବଂ ସମସ୍ତ କାଉନସିଲର ଏହାକୁ ସମର୍ଥନ କରିଥିଲେ। ଏବେ ୟୁପି ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା ରହିଛି। ଯାହା ପରେ ସହରର ନାମ ହରିଗଡ଼ରେ ପରିବର୍ତ୍ତନ ହେବ । ଆଲିଗଡ଼ର ମେୟର ପ୍ରଶାନ୍ତ ସିଙ୍ଘଲ ମଙ୍ଗଳବାର କହିଛନ୍ତି, ‘ଏକ ବୈଠକରେ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ସମସ୍ତ କାଉନସିଲର ସହମତି ଜଣାଇଥିଲେ। ଏଣିକି ଏହି ପ୍ରସ୍ତାବକୁ ପ୍ରଶାସନଙ୍କ ନିକଟରୁ ପଠାଯିବ। ଆମାର ଆଶା କି ପ୍ରଶାସନ ଏହି ପ୍ରସ୍ତାବକୁ ବୁଝିବେ ଓ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାର ଦାବିକୁ ପୂରଣ କରିବେ। ଏହି ଦାବି ଅନେକ ଦିନରୁ ହୋଇଆସୁଛି। ତାଲାନଗରୀର ନାମ ବଦଳାଇବାର ପ୍ରସ୍ତାବ ବିଜେପି କାଉନସିଲର ସଞ୍ଜୟ ପଣ୍ଡିତଙ୍କ ପରାମର୍ଶରେ ପାରିତ କରାଯାଇଛି।
ଆଲିଗଡ ଉତ୍ତରପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କେନ୍ଦ୍ର ଏବଂ ଏହା ତାଲା ଇଣ୍ଡଷ୍ଟ୍ରି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଆଲିଗଡ ତାଲା ସମଗ୍ର ବିଶ୍ୱରେ ରପ୍ତାନି ହୁଏ। ଏହା ବ୍ୟତୀତ ଆଲିଗଡ ନିଜର ପିତ୍ତଳର ହାର୍ଡୱୟାର ଏବଂ ମୂର୍ତ୍ତି ପାଇଁ ବି ପ୍ରସିଦ୍ଧ ରହିଛି।ଆଲିଗଡ ମଧ୍ୟ ଦେଶର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଅଟେ। ଏଠାରେ ୧୦୦ ରୁ ଅଧିକ ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଅଛି । ଯେଉଁଥିରେ ଆଲିଗଡ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ଆହ୍ଲାବାଦ ହୋଇଥିଲା ପ୍ରୟାଗରାଜ
୨୦୧୯ ଜାନୁୟାରିରେ ଆହ୍ଲାବାଦରେ କୁମ୍ଭ ମେଳା ଆରମ୍ଭ ହେବାର କିଛି ମାସ ପୂର୍ବରୁଆହ୍ଲାବାଦର ନାମକରଣ କରି ‘ପ୍ରୟାଗରାଜ’ ରଖାଯାଇଥିଲା । ଏବେ ‘ଆଲିଗଡ଼’ର ନାମ ପରିବର୍ତ୍ତନ କରି ସହରର ନାମ ‘ହରିଗଡ଼’ ରଖିବାକୁ ଦିଆଯାଇଥିବା ପ୍ରସ୍ତାବ ପାସ ହୋଇଯାଇଛି। ଏଣିକି ଏହି ନିଷ୍ପତ୍ତିରେ ମୋହର ଲାଗିବାର ଅପେକ୍ଷା ରହିଛି। ଅନ୍ୟପଟେ ଆଗ୍ରାର ନାଁ ଅଗ୍ରବାଣ କିମ୍ବା ଅଗ୍ରୱାଲ ଓ ମୁଜାଫରନଗରର ନାଁ ଲକ୍ଷ୍ମୀ ନଗର କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।
୨୦୧୯ରେ ଯୋଗୀ ଦେଇଥିଲେ ସଙ୍କେତ
ଅଲୀଗଡ଼ର ନାଁକୁ ହରିଗଡ଼ କରିବା ପାଇଁ ଗୋଟିଏ ଜିଲ୍ଲା ପଞ୍ଚାୟତ ବୈଠକରେ ଅନୁମତି ମିଳିଥିଲା। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଥ୍ୟନାଥଙ୍କ ପାଖକୁ ପଠାଯାଇଥିଲା। ଯୋଗୀ ସେତେବେଳେ କହିଥିଲେ, “ଆମେ ଯାହା ଭଲ ଭାବିଲୁ, ସେଇଆ କରିଛୁ। ଆମେ ମୋଗଲ ସରାଇର ନାଁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନଗର, ଆହ୍ଲାବାଦର ନାଁକୁ ପ୍ରୟାଗରାଜ ଓ ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା ନାଁରେ ବଦଳାଇଛୁ। ଯେଉଁଠି ଆବଶ୍ୟକ, ସେଠାରେ ଉପଯୁକ୍ତ ପଦକ୍ଷେପ ନିଆଯାଇଛି। ଆଗକୁ ମଧ୍ୟ ସରକାର ଆବଶ୍ୟକ ପଡ଼ିଲେ ନାଁ ବଦଳାଇବାକୁ ନିଷ୍ପତ୍ତି ନେବେ।


