୨୦୨୪ ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଆଜି ଛୁଟି ତାଲିକା ଜାରି ହୋଇଛି । ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ ଓ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି । କର୍ମଚାରୀମାନେ ଏହି ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ଛୁଟି ନେଇପାରିବେ । ୨୦୨୪ ବର୍ଷ ପାଇଁ ଥିବା ୩୦ଟି ସରକାରୀ ଛୁଟି ୧୫ ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୨୫ ଡିସେମ୍ବର ବଡ଼ ଦିନ ପଯ୍ୟନ୍ତ ରହିଛି। ଏହି ଦିନଗୁଡ଼ିକରେ ସରକାରୀ କାର୍ଯାଳୟ ସମେତ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ମଧ୍ୟ ବନ୍ଦ ରହିବ।ସେପଟେ ଜାନୁଆରୀ ୧୭ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି ।
ରାଜ୍ୟରେ ସରକାର ଜାରି କରିଥିବା ତାଲିକା ଅନୁଯାୟୀ ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଯେ କୌଣସି ଗୋଟିଏରେ ସରକାରୀ କର୍ମଚାରୀମାନେ ଇଚ୍ଛାଧୀନ ଭାବେ ଛୁଟି ନେଇପାରିବେ। ବିଭାଗୀୟ ମୁଖ୍ୟଙ୍କଠାରୁ ଆବଶ୍ୟକୀୟ ଅନୁମତି ନେଇ ଏହି ଛୁଟି ନେଇପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ରାଜ୍ୟ ସରକାର କର୍ମଚାରୀମାନଙ୍କୁ ୪୬ଟି ରବିବାର ଓ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ମିଳିବ । ଅର୍ଥାତ୍ ସରକାରୀ କର୍ମଚାରୀଙ୍କୁ ମୋଟ ଉପରେ ୩୦ଟି ସରକାରୀ ଛୁଟିଦିନ, ଗୋଟିଏ ଇଚ୍ଛାଧୀନ ଛୁଟି ସମେତ ରବିବାର ଓ ଶନିବାର(ଦ୍ୱିତୀୟ ଓ ଚତୁର୍ଥ)ରେ ୬୮ଟି ଛୁଟିଦିନ ମିଶାଇ ମୋଟ ଉପରେ ୨୦୨୪ରେ ୯୯ଟି ଛୁଟିଦିନ ମିଳିବ ।


