ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ହସ୍ପିଟାଲକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।
ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ ହସ୍ପିଟାଲରେ ୭୫୦ ଶଯ୍ୟା ରହିଥିବା ବେଳେ ଏହା ବାଙ୍ଗାଲୋରର ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା। ଏଠାରେ ସହଜ ଓ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା କରାଯିବ। ଏହି ହସ୍ପିଟାଲ କର୍କଟରୋଗ ଚିକିତ୍ସା କ୍ଷେତ୍ରରେ ସମଗ୍ର ଦେଶରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ କର୍କଟ ରୋଗ ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଛି। ଦେଶରେ ଲୋକଙ୍କ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇଥିବା ବେଳେ ସମଗ୍ର ଦେଶର ସ୍ଵାସ୍ଥ୍ୟସମସ୍ୟା ଲାଗି ଏହା ଏବେ ଏକ ଆହ୍ୱାନ ଭାବେ ଉଭାହୋଇଛି। ତେବେ କର୍କଟ ରୋଗର ନିରାକରଣ ଲାଗି ସମ୍ପ୍ରତି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଆବଶ୍ୟକତା ରହିଥିବା ବେଳେ ବାଗ୍ଚି ଶ୍ରୀ ଶଙ୍କରା କର୍କଟ ପ୍ରତିଷ୍ଠାନ ଏହାକୁ ପୂରଣ କରିବାରେ ସମର୍ଥ ହେବ ବୋଲି ଆଶା କରାଯାଉଛି।

