ମେଣ୍ଟ ଘୋଷଣା କେବେ ?

ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ମେଣ୍ଟ ହେବ କି ନାହିଁ, ତାହାର ଉତ୍ତର କାହା ପାଖରେ ନାହିଁ। ସମ‌ସ୍ତେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ମନଇଚ୍ଛା ଆକଳନ କରୁଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ବି ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପାରୁନି।

ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଆକ୍ରମଣାତ୍ମକ ଭୂମିକା ନେଉନାହାନ୍ତି। ଉଭୟ ଦଳର ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ପରିବେଶ ଅନୁଭବ କରିହେଉନି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି ସମସ୍ତେ ଅନୁମାନ କରୁଥିଲେ। କିନ୍ତୁ ସେପରି କିଛି ହେଲାନାହିଁ। ତାରିଖ ଘୋଷଣାର ୨୪ ଘଣ୍ଟା ପରେ ସ୍ଥିତି ଅସ୍ପଷ୍ଟ। ଓଡ଼ିଶାରେ ଶେଷ ଚାରି ପର୍ଯ୍ୟାୟରେ ମତଦାନ ହେଉଥିବାରୁ ହାତରେ ବହୁତ ସମୟ ରହିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥିପତ୍ର ଦାଖଲ ଏପ୍ରିଲ୍‌ ୧୮ ତାରିଖଠାରୁ ଆରମ୍ଭ ହେବ। ଅର୍ଥାତ ଆହୁରି ଏକ ମାସ ରହିଛି। ସେପଟେ ବିଜେଡି ଓ ବି‌ଜେପିର ଶୀର୍ଷ ସ୍ତରରେ ମେଣ୍ଟ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।

ଆଲୋଚନାର ନିଷ୍କର୍ଷ ସମ୍ପର୍କରେ କିନ୍ତୁ କେହି କିଛି ଜାଣିପାରୁ ନାହାନ୍ତି। ସାଧାରଣ ଜନତା ଓ କର୍ମୀମାନେ ନ ଜାଣିବାରେ ଅସ୍ବାଭାବିକତା କିଛି ନାହିଁ। ଉଭୟ ଦଳର ବରିଷ୍ଠ ନେତାମାନେ ବି ଟେର୍‌ ପା‌ଉନାହାନ୍ତି। ସେମାନଙ୍କୁ ଜଣାଇବାକୁ ବି ଶୀର୍ଷ ନେତାମାନେ ଉଚିତ ମଣୁନାହାନ୍ତି। ମେଣ୍ଟ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେଲା ପରେ ହିଁ ସମସ୍ତେ ଜାଣିବେ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!