ଅମିତ ସାଜିବେ ବିଜେଡିର ଖଣ୍ଡପଡା ସଂକଟମୋଚକ

ଖଣ୍ଡପଡାରେ ପୁଣି ଉଡିବ ବିଜେଡିର ବିଜୟ ବାନା । ଏଭଳି ଆଶା ନେଇ ବିଜେଡି ନିର୍ବାଚନ ପ୍ରସ୍ତୁତି କରିଥିବାବେଳେ ଏଥିପାଇଁ ସେନାପତି ସାଜିଛନ୍ତି ଅମିତ ମଲ୍ଲିକ । ବିଜେଡି ମୁଖପାତ୍ର ଅମିତ ମଲ୍ଲିକଙ୍କୁ ଖଣ୍ଡପଡା ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖଣ୍ଡପଡାର ପର୍ଯ୍ୟବେକ୍ଷକ ଭାବେ ଅମିତଙ୍କୁ ନିଯୁକ୍ତି ମିଳିଛି । ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ବବହନ କରୁଛି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ଏହି ଆସନ ଉପରେ ସଭିଙ୍କର ନଜର ରହିଛି । ଏଯାଏ ବିଜେଡି ଖଣ୍ଡପଡା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ନୟାଗଡ଼ ଜିଲ୍ଲାର ଅନ୍ୟ 3 ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଥିବାବେଳେ ଖଣ୍ଡପଡା ପାଇଁ ଏବେ ବି ଦଳ ପ୍ରାର୍ଥୀ ଖୋଜୁଛି । ଏଭଳି ପରିସ୍ଥିତିରେ ଦଳ ପାଇଁ ଭରସାର ପାତ୍ର ହୋଇଛନ୍ତି ଅମିତ ମଲ୍ଲିକ ।

ଏବେ ଅମିତ ମଲ୍ଲିକ ବିଜେଡିର ମୁଖପାତ୍ର ଭାବେ ଦାୟିତ୍ବ ତୁଲାଉଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଦଳ ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରି ସୁପ୍ରିମୋଙ୍କ ପ୍ରିୟପାତ୍ର ହୋଇଛନ୍ତି । ଟିଭି ଡିବେଟରେ ତାଙ୍କ ଉଚ୍ଚକୋଟୀର ଯୁକ୍ତି ଓ ଦଳକୁ ସୁରକ୍ଷା ଦେବାରେ ରଣକୌଶଳ ଦ୍ବାରା ଦଳର ଶୀର୍ଷ ନେତୃତ୍ବ ପ୍ରଭାବିତ ହୋଇଛନ୍ତି । ଜଣେ ଶିକ୍ଷିତ, ଭଦ୍ର ଓ ଶାଳିନତା ବିଶିଷ୍ଟ ରାଜନେତା ଭାବେ ବେଶ୍ ଜଣାଶୁଣା ଅମିତ । ଏହା ସହିତ ଦୈନିକ ଓଡ଼ିଆ ଖବରକାଗଜ ସକାଳର ପ୍ରକାଶକ ଦାୟିତ୍ବରେ ମଧ୍ୟ ଅମିତ ରହିଛନ୍ତି ।

ଅମିତ ମଲ୍ଲିକ ହେଉଛନ୍ତି ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ପୁଅ ।୨୦୦୦ ମସିହାରେ ଧାମନଗରରୁ ସ୍ୱାଧୀନ ଭାବରେ ଜିତି ମାନସ ମଲ୍ଲିକ ସେତେବେଳେ ଖୁବ ଚର୍ଚ୍ଚିତ ହୋଇଥିଲେ । ଅମିତ ମଲ୍ଲିକଙ୍କ ଜେଜେବାପା ହୃଦାନନ୍ଦ ମଲ୍ଲିକ ହେଉଛନ୍ତି କେବଳ ଭଦ୍ରକ ନୁହେଁ ସମଗ୍ର ଅବିଭକ୍ତ ବାଲେଶ୍ୱରରେ ଅଣକଂଗ୍ରେସ ରାଜନୀତିର ଏକ ବଡ଼ ନାଁ । ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଖୁବ ଥିଲେ ଜଣାଶୁଣା ।ଏବେ ଅମିତଙ୍କ ଦାଦା ସଞ୍ଜୀବ ମଲ୍ଲିକ ଭଦ୍ରକର ବିଧାୟକ ଥିବାବେଳେ ଆଗାମୀ ନିର୍ବାଚନ ପାଇଁ ଭଣ୍ଡାରିପୋଖରୀରୁ ସେ ପ୍ରାର୍ଥୀ ହୋଇଛନ୍ତି । ସେଭଳି ଅମିତଙ୍କ ଆଉ ଜଣେ ଦାଦା ଜିଲ୍ଲାପରିଷଦ ସଭ୍ୟ ମଧ୍ୟ ଅଛନ୍ତି । ଏକ ଟାଣୁଆ ରାଜନୀତି ପରିବାରରୁ ଆସନ୍ତି ଅମିତ ମଲ୍ଲିକ । ସେ ଏବେ ନିଜେ ବିଜୁ ଜନତା ଦଳର ରାଜ୍ୟ ପାନେଲିଷ୍ଟ ଭାବେ ମଧ୍ୟ ଦାୟିତ୍ୱ ନିଭାଉଛନ୍ତି । ଏହା ସହ ଦଳ ତାଙ୍କୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦେଇ ଆସୁଛି ।

ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଅମିତଙ୍କୁ ଖଣ୍ଡପଡ଼ା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ଖଣ୍ଡପଡା ଗୁରୁତ୍ବପୂର୍ଣ୍ଣ ଆସନ ହୋଇଥିବାରୁ ଅମିତଙ୍କ କାର୍ଯ୍ୟଦକ୍ଷତା ଉପରେ ଦଳ ଆସ୍ଥା ପ୍ରକଟ କରିଛି । ପ୍ରାର୍ଥୀ ଚୟନ ସହ ଦଳର ନିର୍ବାଚନ ପରିଚାଳନରେ ଅମିତ ଗୁୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହନ କରିବେ ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!