ରାଜ୍ଯ ରାଜନୀତିରେ ବେଶ ଚର୍ଚ୍ଚିତ ଆସନ ଚମ୍ପୁଆ । ଚମ୍ପୁଆ କହିଲେ ସନାତନ ମହାକୁଡ଼ଙ୍କୁ ବୁଝାଏ ଆଉ ସନାତନ ମହାକୁଡ଼ କହିଲେ ଚମ୍ପୁଆକୁ ବୁଝାଏ । ଚଳିତ ନିର୍ବାଚନରେ ଚମ୍ପୁଆରୁ ବିଜେଡି ଟିକେଟ୍ ପାଇଛନ୍ତି ଟାଣୁଆ ନେତା ସନାତନ ମହାକୁଡ । ଟିକେଟ୍ ମିଳିବା ପରେ ସେ କିଙ୍ଗ୍ ମେକର ନୁହେଁ ଏଥର କିଙ୍ଗ ହେବେ ବୋଲି କହିସାରିଛନ୍ତି ।
୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଚମ୍ପୁଆରୁ ନିର୍ବାଚିତ ହୋଇଥିଲେ ସନାତନ । କେନ୍ଦୁଝର ରାଜନୀତିରେ ତାଙ୍କର ବେଶ୍ ପ୍ରଭାବ ରହିଛି ।
ସନାତନ ମହାକୁଡ କେନ୍ଦୁଝର ପରି ଏକ ଖଣି ଖାଦାନ ଜିଲ୍ଲାର ଜଣେ ବାହୁବଳୀ ଏବଂ ପ୍ରଭାବଶାଳୀ ବିଧାୟକ । ସେ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିଲେ । ଏହା ପୂର୍ବରୁ ସେ ନିର୍ବାଚନ ଲଢି ନ ଥିଲେ ବି ସ୍ୱାଧୀନ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଉଥିଲେ । ସେ ନିଜର ଏକ ଦଳ ମଧ୍ୟ ଗଠନ କରିଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଦଳ ଭାଙ୍ଗିବା ସହ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ଲଢି ନ ଥିଲେ । ଆଉ ପ୍ରଥମ ଥର ୨୦୧୯ରେ ବିଜେଡି ଏହି ଆସନରୁ ବିଜୟର ସ୍ୱାଦ ଚାଖିଥିଲା । ମୀନାକ୍ଷୀ ମହାନ୍ତଙ୍କୁ ଦଳ ପ୍ରାର୍ଥୀ କରାଇଥିଲା ଯାହାକୁ ସନାତନ ମହାକୁଡ ସମର୍ଥନ ଦେଇଥିଲେ ବୋଲି କୁହାଯାଏ । ଆଉ ଏଥର ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ଏ ଯାବତ ସନାତନ ମହାକୁଡ ବିଜେଡିର ସଦସ୍ୟ ନୁହନ୍ତି । ତଥାପି ବିଜେଡି ତାଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି ।
କେନ୍ଦୁଝର ଜିଲ୍ଲାରେ ସନାତନଙ୍କ ନିଜସ୍ୱ ସଂଗଠନ ରହିଛି । ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଭାବ ରହିଛି । ବିଶେଷ କରି ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ସେ ନିଜ ଉଦ୍ୟମରେ ଅନେକ କାମ ମଧ୍ୟ କରିଛନ୍ତି । ବିଧାୟକ ନଥାଇ ବି ଗତ 5 ବର୍ଷରେ ଟ୍ରଷ୍ଟ ଓ ସରକାରଙ୍କ ସହଯୋଗରେ ଅନେକ କାର୍ଯ୍ୟ କରିଛନ୍ତି ସନାତନ । ହସ୍ପିଟାଲ, ରାସ୍ତା ଓ ବ୍ରିଜ ହୋଇଛି । ପାନୀୟ ଜଳ ବ୍ୟବସ୍ଥା ନିଜସ୍ଵ ଟ୍ରଷ୍ଟ ତରଫରୁ କରିଛନ୍ତି ସନା । ସନାତନ କହିଛନ୍ତି, 2019ରୁ 2024 ଯାଏଁ କିଙ୍ଗ୍ ମେକର ଥିଲି । 2024ରେ କିଙ୍ଗ ହେବି । ସ୍ବାଧୀନ ଥିଲି ଯାହା ମନକୁ ଆସୁଥିଲା କହୁଥିଲି ଓ କରୁଥିଲି । ଏବେ ଦଳରେ ବାନ୍ଧି ହେଲି । ତେଣୁ ଏବେ ଦଳ ଯାହା କହିବ କରିବି । ଦଳ ଯାହା ଦାୟିତ୍ବ ଦେବ ସେହି ଅନୁସାରେ କାମ କରିବି ।
ସନାତନଙ୍କ ପରି ପ୍ରଭାବଶାଳୀ ନେତାଙ୍କୁ ବିଜେଡି ହାତଛଡା କରିବାକୁ ଚାହିଁନି । ତେଣୁ ଦଳରେ ନ ଥାଇ ବି ଶାସକ ଦଳ ତାଙ୍କୁ ପ୍ରାର୍ଥୀ କରିଛି । 2019 ନିର୍ବାଚନରେ ସନାତନ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାର ଥିଲା । ତେଣୁ ନିର୍ବାଚନ ପୂର୍ବରୁ ସେ ନିଜେ ଗଠନ କରିଥିବା ଦଳକୁ ଭାଙ୍ଗି ଦେଇଥିଲେ । କିନ୍ତୁ ଗୋଟେ ଗୋଷ୍ଠୀର ପ୍ରବଳ ବିରୋଧ ଯୋଗୁଁ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । କିନ୍ତୁ ତାଙ୍କ ସମର୍ଥିତଙ୍କୁ ବିଜେଡି ଟିକେଟ ଦେବାରେ ସେ ସମର୍ଥ ହୋଇଥିଲେ । ଖଣି ବ୍ୟବସାୟୀ, ଟ୍ରକ ସଂଘ, ମଜଦୂର ସଂଘ ସହ ସନାତନ ସିଧାସଳଖ ସମ୍ପର୍କ । ତେଣୁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ଆଖପାଖ ଜିଲ୍ଲାରେ ସନାତନଙ୍କ ପ୍ରଭାବ ରହିଛି । ଏହାର ଫାଇଦା ବିଜେଡି ନିର୍ବାଚନରେ ଉଠାଇବାକୁ ଚେଷ୍ଟା କରିବ ବୋଲି କୁହାଯାଉଛି ।

