ଆରପାରିରେ ପଦ୍ମଶ୍ରୀ ମାଗୁଣି କୁଅଁର । ଦୀର୍ଘ ଦିନ ଅସୁସ୍ଥ ଥିବା ବେଳେ ଆଜି ସିଏ ନିଜ ପୈତୃକ ଘର ବୈଦରାଜ ସାହିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା ।
୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ କେନ୍ଦୁଝର ଜିଲ୍ଲାର ବୈଦ୍ୟରାଜ ସାହିରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ। ସେ ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ରାବଣବଦ୍ଧ, ତ୍ରିପୁରାସୁରବଦ୍ଧ, ଚନ୍ଦ୍ରହାସ୍ୟ ଖଡ୍ଗ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ବୀରସୁରେନ୍ଦ୍ର ସାଏ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ, ସତୀ ତୁଳସୀ ପରିବ ୪୫ଟି ବିଷୟବସ୍ତୁକୁ ନେଇ ସେ କଣ୍ଢେଇ ନୃତ୍ୟ ପରିବେଷଣ କରିଛନ୍ତି । କଣ୍ଡେଇ ନୃ୍ତ୍ୟକୁ ବଞ୍ଚାଇ ରଖିବା ପାଇଁ ଶ୍ରୀ କୁଅଁରଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା, ଏଥିପାଇଁ ତାଙ୍କୁ ପତ୍ନୀ ସ୍ନେହଲତାଙ୍କ ଗହଣା ସାଙ୍ଗକୁ ଘରର ବାସନକୁସନ ଏବଂ ନିଜର ମୋଟର ସାଇକଲ ବିକ୍ରି କରିବାକୁ ପଡ଼ିଥିଲା ।
ରାଜ୍ୟର ବିଭିନ୍ନ ମହୋତ୍ସବ ସମେତ ଦେଶର ବିଭିନ୍ନ ମଞ୍ଚରେ ସେ କଣ୍ଢେଇ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ୨୦୦୪ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ମିଳିଥିଲା । ଏହାସହ ୨୦୧୪ରେ ରାଜ୍ୟ ସଂଗୀତ ନାଟକ ଏକାଡେମି ସମ୍ମାନ ସମେତ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।
କଣ୍ଢେଇ ନୃତ୍ୟର ପ୍ରଚାର ପ୍ରସାର ସାଙ୍ଗକୁ ଏହାକୁ ପରବର୍ତ୍ତୀ ପିଢ଼ି ପାଇଁ ବଞ୍ଚାଇ ରଖିବା ଦିଗରେ ଶ୍ରୀ କୁଅଁର ଅହରହ ଉଦ୍ୟମ କରିଚାଲିଛନ୍ତି, ଏଥିପାଇଁ ସିଏ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

