ଓଡ଼ିଶାରୁ ପ୍ରତ୍ୟାହାର ହୋଇଛି ଆଚରଣ ବିଧି । ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଜି ପ୍ରତ୍ୟାହାର ହୋଇଛି । ଏନେଇ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ନିର୍ବାଚନ ଆୟୋଗ ଚିଠି ଲେଖି ଅବଗତ କରାଇଛନ୍ତି ।
ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଓଡ଼ିଶାର ସପ୍ତଦଶ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି ।ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟପାଳ ଶ୍ରୀ ଦାସ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ଓଡ଼ିଶାର ନୂଆ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହେବାପରେ ଓଡ଼ିଶା ଗେଜେଟରେ ମଧ୍ୟ ଏହା ପୁନଃ ବିଜ୍ଞପିତ ହୋଇଛି । ରାଜ୍ୟପାଳ ଶ୍ରୀ ଦାସଙ୍କୁ ଆଜି ରାଜଭବନରେ ନିଜର ଟିମ୍ ସହ ଭେଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏହି ବିଜ୍ଞପ୍ତି ପ୍ରଦାନ କରିଛନ୍ତି।

